ଜୟପୁର ସହରରେ ବଡ଼ଧରଣର ଡକାୟତି
ମାରଣାସ୍ତ୍ର ଦେଖାଇ ଘରେ ପଶିଲେ ୬ ଦୁର୍ବୃତ୍ତ, ୧୫ ଲକ୍ଷ ନଗଦ ଓ ୪୦୦ ଗ୍ରାମ ସୁନା ଲୁଟ୍
ଜୟପୁର ସହରରେ ପୁଣି ମାତିଲେ ଲୁଟେରା। ରାତି ଅଧରେ ଏକ ବ୍ୟବସାୟୀଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ପରିବାରବର୍ଗଙ୍କୁ ଭୟଭୀତ କରି ବଡ଼ଧରଣର ଡକାୟତି କରିଛନ୍ତି ଦୁର୍ବୃତ୍ତ। ଏହି ଘଟଣାରେ ୧୫ ଲକ୍ଷ ଟଙ୍କା ନଗଦ ସହ ପ୍ରାୟ ୪୦୦ ଗ୍ରାମ ସୁନା ଗହଣା ଲୁଟ୍ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ସହରରେ ଆତଙ୍କ ଖେଳିଯାଇଛି।ସୂଚନା ଅନୁଯାୟୀ, ଜୟପୁର ସହରର ଲିଙ୍ଗରାଜ ନଗର ୧୭ ନମ୍ବର ଲେନ୍ ସ୍ଥିତ ସତ୍ୟନଗରରେ ଥିବା ସତ୍ୟ ବାସନ୍ତୀ ନିଳୟରେ ରହୁଥିବା ବ୍ୟବସାୟୀ ଦେବୀ ପ୍ରସାଦ ଦଳେଇଙ୍କ ଘରେ ଏହି ଡକାୟତି ହୋଇଛି। ଗତ ରାତିରେ ମୁହଁରେ ମାସ୍କ ପିନ୍ଧିଥିବା ୫ ଜଣ ଦୁର୍ବୃତ୍ତ ଘର ଭିତରକୁ ପଶିଥିବା ବେଳେ ଆଉ ଜଣେ ବାହାରେ ଜଗି ରହିଥିଲେ। ପ୍ରଥମେ ଘରର ମୁଖ୍ୟଙ୍କୁ କାବୁ କରି ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ଘରର ସମସ୍ତ ସଦସ୍ୟଙ୍କୁ ଧମକ ଦେଇଥିଲେ।
ଏହାପରେ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ ବାହାର କରିବାକୁ ଦୁର୍ବୃତ୍ତମାନେ କହିଥିଲେ। ପରିବାରର ଜଣଙ୍କ ପରେ ଜଣଙ୍କୁ ଭୟଭୀତ କରି ଘରେ ଥିବା ନଗଦ ଟଙ୍କା ଓ ସମସ୍ତ ସୁନା ଗହଣା ଲୁଟି ନେଇଥିଲେ। ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ପରିବାରବର୍ଗ ନିଜର ସମସ୍ତ ଟଙ୍କା ଓ ସୁନା ଗହଣା ନେଇଯିବାକୁ କହିବା ସହ କାହାରିକୁ କୌଣସି ଆଘାତ ନଦେବାକୁ ଦୁର୍ବୃତ୍ତଙ୍କ ନିକଟରେ ଆକୁଳ ନିବେଦନ କରିଥିଲେ। ଲୁଟ୍ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଘଟଣା ପରେ ପରିବାର ପକ୍ଷରୁ ରାତି ପ୍ରାୟ ୨ଟା ସମୟରେ ଜରୁରୀକାଳୀନ ନମ୍ବର ୧୧୨କୁ ଫୋନ୍ କରି ସୂଚନା ଦିଆଯାଇଥିଲା। ଖବର ପାଇ ଜୟପୁର ଟାଉନ୍ ପୋଲିସ ପ୍ରାତଃ ପ୍ରାୟ ୪ଟାରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏନେଇ ଘର ମାଲିକ ତଥା ବ୍ୟବସାୟୀ ଦେବୀ ପ୍ରସାଦ ଦଳେଇ, ପିତା ସତ୍ୟନାରାୟଣ ଦଳେଇ, ଜୟପୁର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ଜୟପୁର ସହରରେ ବାରମ୍ବାର ଏଭଳି ଲୁଟ୍ ଓ ଡକାୟତି ଘଟଣା ଘଟୁଥିବାରୁ ସହରବାସୀଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ରାତିରେ ପୋଲିସ ପାଟ୍ରୋଲିଂ ଓ ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ଉଠୁଛି। ଏବେ ଏହି ହାଇପ୍ରୋଫାଇଲ୍ ଡକାୟତି ଘଟଣାରେ ପୋଲିସ କେତେ ଶୀଘ୍ର ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ଗିରଫ କରୁଛି, ତାହାକୁ ସମସ୍ତଙ୍କ ନଜର ରହିଛି।