ଖରାଦିନ ଆସିଲେ ଚିନ୍ତା ବଢାଏ ଜଙ୍ଗଲ ନିଆଁ। ଯେଉଁଥିପାଇଁ ଖରାଦିନ ପୂର୍ବରୁ ଗାଁ, ଗାଁରେ ଵନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁର ନିରାକରଣ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ତଥାପି ଜଙ୍ଗଲ ନିଆଁକୁ ରୋକିବା ସମ୍ଭଵ ହୋଇ ପାରୁନଥିବା ଭଳି ମନେ ହେଉଛି। ଏପ୍ରିଲ ଆରମ୍ଭରୁ ଖଣ୍ଡପଡ଼ାରେ ଜଙ୍ଗଲ ନିଆଁର ପ୍ରଭାଵ ଦେଖିବାକୁ ମିଳିଲାଣି। ମଙ୍ଗଳବାର ରାତ୍ର ୭ଟା ସମୟରେ ଖଣ୍ଡପଡ଼ା ସହରର ମଧୁବନ ମିନି ଷ୍ଟାଡିୟମ ପଛପାଖ ପାହାଡ଼ରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବାର ଦେଖିବାକୁ ମିଳିଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଜଙ୍ଗଲ ନିଆଁ ଜନଜୀବନକୁ ପ୍ରଭାବିତ କରିଛି।