ବୟସ ମାତ୍ର ୩ରୁ ୪ ଦିନ। ହଠାତ୍ ମାଡ଼ି ଆସିଲା ପାଣି। ମାଆ ସହ ଯାଉଥିବା କୁନି ହାତୀ ଛୁଆଟି ପ୍ରଖର ସ୍ରୋତରେ ଭାସିଗଲା। ପଶ୍ଚିମବଙ୍ଗ ଜଲପାଇଗୁଡି ଗଜଲଡୋବାର ଏହି ଘଟଣା। ମାଆ ସହ ଯାଉଥିବା ବେଳେ ତିସ୍ତା ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲା ହାତୀ ଛୁଆଟି।...
ତିସ୍ତା ନଦୀର ସ୍ରୋତ ଏତେ ପ୍ରଖର ଥିଲା ଯେ, ହାତୀ ଛୁଆଟି ପାଣିର ପ୍ରବଳ ସ୍ରୋତ ସାମ୍ନାରେ ତିଷ୍ଠି ରହିବା ସମ୍ଭବ ନଥିଲା। ପ୍ରାୟ ୫ କିଲୋମିଟର ଯାଏଁ ଭସାଇ ନେଲା ନଦୀର ପ୍ରଖର ଜଳସ୍ରୋତ। ଏହାପରେ ଜୀବନ ବଞ୍ଚାଇବାକୁ ଆରମ୍ଭ ହେଲା ସଂଘର୍ଷ।....
ନିଜକୁ ପାଣିରେ ଭସାଇ ରଖିବା ସହ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିଲା ନବଜାତ ହାତୀ ଛୁଆଟି। ତାକୁ ଉଦ୍ଧାର କରିବା ପାଇଁ ଲାଗି ପଡ଼ିଲେ ବୈକୁଣ୍ଠପୁର ଫରେଷ୍ଟ ଡିଭିଜନର ଟିମ୍ ଓ ସ୍ଥାନୀୟ ମତ୍ସ୍ୟଜୀବୀ। ଆରମ୍ଭ ହେଲା ରେସ୍କ୍ୟୁ ଅପରେସନ୍। ତେବେ ସ୍ରୋତ ପ୍ରଖର ଥିବାରୁ ହାତୀ ଛୁଆଟିକୁ ଉଦ୍ଧାର କରିବା ଥିଲା ବେଶ୍ କଷ୍ଟକର।...
ମତ୍ସ୍ୟଜୀବୀମାନେ ଏକ ଡଙ୍ଗାରେ ହାତୀ ଛୁଆଟି ନିକଟରେ ପହଞ୍ଚିଥିଲେ। ଏହାପରେ ତାକୁ ପାଣିରୁ କୋଳେଇ ଆଣି ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଛୁଆଟିକୁ ଆବଶ୍ୟକ ଚିକିତ୍ସା ଓ ସେବା ଯୋଗାଇ ଦିଆଯାଇଥିଲା। ପରେ ତାକୁ ତା’ର ମାଆ ପାଖକୁ ନେଇ ଯାଇଥିଲେ ବନ କର୍ମଚାରୀ।
ଆଇଏଫ୍ଏସ୍ ଅଧିକାରୀ ମୁଦିତ କୁମାର ବର୍ମା ଏହି ଉଦ୍ଧାର କାର୍ଯ୍ୟର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ମତ୍ସ୍ୟଜୀବୀମାନେ ଏକ ଡଙ୍ଗାରେ ହାତୀ ଛୁଆ ନିକଟରେ ପହଞ୍ଚି ତାକୁ ପାଣିରୁ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି।
ତେବେ ସବୁଠୁ ସ୍ନେହଭରା ଦୃଶ୍ୟ ଥିଲା କୁନି ହାତୀର ମାଆ ସହ ମିଳନ।
ଭିଡିଓରେ ମାଆ ହାତୀ ପାଣି ଭିତରେ ଆଗକୁ ବଢ଼ି ନିଜ ଛୁଆ ଆଡ଼କୁ ଦୌଡ଼ି ଯାଉଥିବା ଏବଂ ତାକୁ ସ୍ନେହରେ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି। ପ୍ରାୟ ୫ କିଲୋମିଟର ଦୂରକୁ ଭାସିଯାଇଥିବା ଛୁଆଟି ଶେଷରେ ସୁରକ୍ଷିତ ଭାବେ ନିଜ ମାଆ ପାଖକୁ ଫେରିଯାଇଛି।...