ପ୍ରଶାସନର ସତର୍କତା କଳିଙ୍ଗା ଘାଟିରେ ୨୩ ଓ ୨୪ ତାରିଖ ଯାତାୟାତ ବନ୍ଦ
@followers #facebookpost #NewsUpdate
କନ୍ଧମାଳ | #odishacitynews | ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ କଳିଙ୍ଗା ଘାଟି ଦେଇ ଦୁଇଦିନ ପାଇଁ ଯାତାୟାତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ କଳିଙ୍ଗା ଘାଟି ଦେଇ ସମସ୍ତ ପ୍ରକାର ଯାନବାହନ ଚଳାଚଳ ଓ ଯାତ୍ରୀଙ୍କ ଯାତାୟାତ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା
ଦିଆଯାଇଛି।କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣଙ୍କ ସୂଚନା ଅନୁଯାୟୀ, ଆସନ୍ତା ୨୩ ଓ ୨୪ ତାରିଖରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ଆଶଙ୍କା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏଭଳି ପରିସ୍ଥିତିରେ କଳିଙ୍ଗା ଘାଟିରେ ଭୂସ୍ଖଳନ, ପାହାଡ଼ରୁ ମାଟି ଅତଡ଼ା ଓ ବଡ଼ ବଡ଼ ପଥର ଖସିବାର ଆଶଙ୍କା ରହିଛି।
କଳିଙ୍ଗା ଘାଟିର ଅନେକ ସ୍ଥାନ ଭୂସ୍ଖଳନପ୍ରବଣ ହୋଇଥିବାରୁ ପ୍ରବଳ ବର୍ଷା ସମୟରେ ରାସ୍ତା ଉପରେ ମାଟି ଓ ପଥର ଖସିବା ସହ ଯାତାୟାତ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ଏଥିସହ ଯାତ୍ରୀ ଓ ଚାଳକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ। ତେଣୁ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ଦୁଇଦିନ ପାଇଁ ଘାଟି ରାସ୍ତାରେ ଯାତାୟାତ ବନ୍ଦ ରଖାଯାଇଛି।
ପ୍ରଶାସନ ପକ୍ଷରୁ ୨୩ ଓ ୨୪ ତାରିଖରେ କଳିଙ୍ଗା ଘାଟି ଦେଇ ଯାତ୍ରା ନକରିବାକୁ ଯାତ୍ରୀ, ଗାଡ଼ି ଚାଳକ ଓ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ଅତ୍ୟାବଶ୍ୟକ ନଥିଲେ ଏହି ଦୁଇଦିନ ଯାତ୍ରା ଏଡ଼ାଇବା ସହ ପାଣିପାଗ ବିଭାଗର ସତର୍କ ସୂଚନା ଏବଂ ପ୍ରଶାସନ ପକ୍ଷରୁ ଜାରି ହେଉଥିବା ନିର୍ଦ୍ଦେଶାବଳୀ ପ୍ରତି ସଚେତନ ରହିବାକୁ କୁହାଯାଇଛି।ଜନସାଧାରଣଙ୍କ ସୁରକ୍ଷା ଓ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ଉଦ୍ଦେଶ୍ୟରେ ପ୍ରଶାସନର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ସତର୍କତାମୂଳକ ବ୍ୟବସ୍ଥା ଭାବେ ଦେଖାଯାଉଛି।