ବେଗା ଗାଁରେ ମଣିଷମରା ଦନ୍ତାହାତୀର ଆତଙ୍କ, ୫ଟି ଘର ଭାଙ୍ଗିଲା!
ଭୋର ୩ଟାରୁ ୫ଟା ପର୍ଯ୍ୟନ୍ତ ଗାଁରେ ଚାଲିଲା ଦନ୍ତାର ଉପଦ୍ରବ; ଭୟଭୀତ ଗ୍ରାମବାସୀ, ବନ ବିଭାଗର ତୁରନ୍ତ ହସ୍ତକ୍ଷେପ ଦାବି
#public #newsodiaodisha #gandia #facebookvairal
ଗଁଦିଆ, ୧୧/୧୧: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଖଙ୍କିରା ଫରେଷ୍ଟ ସେକ୍ସନର ବେଗା ଗ୍ରାମରେ ଏକ ଦନ୍ତାହାତୀର ଭୟଙ୍କର ଉପଦ୍ରବକୁ ନେଇ ଆତଙ୍କ ଖେଳିଯାଇଛି। ବୁଧବାର ଭୋର ପ୍ରାୟ ୩ଟାରୁ ୫ଟା ପର୍ଯ୍ୟନ୍ତ ଦୀର୍ଘ ଦୁଇ ଘଣ୍ଟା ଧରି ଗାଁରେ ତାଣ୍ଡବ ରଚିଛି ଏହି ଦନ୍ତାହାତୀ। ଫଳରେ ପାଞ୍ଚଟି ପରିବାରର ଘର ଭାଙ୍ଗିବା ସହ ବ୍ୟାପକ ଆସବାବପତ୍ର ନଷ୍ଟ ହୋଇଛି।
ସୂଚନା ଅନୁଯାୟୀ, ଭୋର ସମୟରେ ହଠାତ୍ ଏହି ଦନ୍ତାହାତୀଟି ଗାଁ ଭିତରକୁ ପଶି ଆସିଥିଲା। ତ୍ରିଲୋଚନ ମହାନ୍ତି, ତରୁଣ ମହାନ୍ତି, ମିତା ମଲିକ, ଘୁମୁରା ମଲିକ ଓ ଅକ୍ଷୟ ମଲିକଙ୍କ ଘର ଭାଙ୍ଗିବା ସହ ଘର ଭିତରେ ଥିବା ଅନେକ ସାମଗ୍ରୀ ନଷ୍ଟ କରିଦେଇଥିଲା। ହଠାତ୍ ହାତୀର ଉପସ୍ଥିତି ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ହାହାକାର ଓ ଭୟର ବାତାବରଣ ସୃଷ୍ଟି ହୋଇଥିଲା।
ହାତୀକୁ ଘଉଡ଼ାଇବା ପାଇଁ ସାଇରନ୍ ବଜାଯାଇଥିଲେ ମଧ୍ୟ ଦନ୍ତାହାତୀଟି ଦୀର୍ଘ ସମୟ ଧରି ଗାଁରେ ଉପଦ୍ରବ ଜାରି ରଖିଥିଲା। ଶେଷରେ ସକାଳ ପ୍ରାୟ ୫ଟା ସମୟରେ ଏହା ଗାଁ ଛାଡ଼ି ନିକଟସ୍ଥ ପର୍ବତ ଆଡ଼କୁ ଚାଲିଯାଇଥିଲା।
ଏହି ଘଟଣା ପରେ ବେଗା ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷାର ଭାବନା ବଢ଼ିଯାଇଛି। ବିଶେଷକରି ରାତି ହେଲେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ହାତୀର ଗତିବିଧି ଉପରେ ନିୟମିତ ନଜର ରଖିବା, ଗାଁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ଏବଂ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ ଘରଭଙ୍ଗା କ୍ଷତିପୂରଣ ଯୋଗାଇଦେବାକୁ ଗ୍ରାମବାସୀ ବନ ବିଭାଗ ନିକଟରେ ଦାବି କରିଛନ୍ତି।
ପ୍ରଶ୍ନ ଉଠୁଛି— ହାତୀ-ମଣିଷ ସଂଘର୍ଷ ରୋକିବାକୁ ବନ ବିଭାଗର ପୂର୍ବ ପ୍ରସ୍ତୁତି କେତେ? ଗ୍ରାମବାସୀଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ କେବେ ନିଆଯିବ ଠୋସ୍ ପଦକ୍ଷେପ? ଆଉ କେତେ କ୍ଷୟକ୍ଷତି ପରେ ଚେତିବ ବନ ବିଭାଗ?