ଡେବ୍ରିଗଡ଼ ଅଭୟାରଣ୍ୟରେ ବେଆଇନ ଶିକାର ଯୋଜନା ପଣ୍ଡ, ୪ ଗିରଫ
ବରଗଡ଼: ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବେଆଇନ ଶିକାର ଯୋଜନାକୁ ପଣ୍ଡ କରିଛି ବନ ବିଭାଗ। ଗୁଇନ୍ଦା ସୂଚନା ଆଧାରରେ ଲଖନପୁର ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇ ତିଲେଇମାଲ ଗ୍ରାମର ୪ ଜଣଙ୍କୁ ଗିରଫ କରାଯାଇଛି। ନଭେମ୍ବର ୧୬ ତାରିଖରେ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ କିଶୋର ଖମାରୀ (୪୬), ହୀରାଧର ଭୁଏ (୪୨), ଆଶିଷ ଭୁଏ (୨୯) ଓ ଜିତେନ୍ଦ୍ର ଭୁଏ (୨୫)।
ଚଢ଼ାଉ ସମୟରେ ୫ କିଲୋଗ୍ରାମ ବାଇଣ୍ଡିଂ ତାର, ବିଭିନ୍ନ ପ୍ରକାର ଫାନ୍ଦ, ଗୋଟିଏ କୁରାଢ଼ୀ, ମୋଟରସାଇକେଲ ଓ ୩ଟି ମୋବାଇଲ ଫୋନ୍ ଜବତ ହୋଇଛି। ବରଗଡ଼ ପୋଲିସର ମୋବାଇଲ ଟ୍ରାକିଂ ସହାୟତାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଠାବ କରାଯାଇଥିଲା।
ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଭୟାରଣ୍ୟରେ ୨୫୦ ଜଣ ସୁରକ୍ଷା କର୍ମୀ ଓ ୨୭ଟି ପାଟ୍ରୋଲିଂ ଟିମ୍ ନିୟୋଜିତ ଅଛନ୍ତି। ପ୍ରତିମାସରେ ୬ ହଜାର କିଲୋମିଟରରୁ ଅଧିକ ପାଦରେ ପାଟ୍ରୋଲିଂ କରାଯାଉଛି। ଏହାସହ ୬୭ଟି ଇକୋ-ଡେଭଲପମେଣ୍ଟ କମିଟି ମଧ୍ୟ ଶିକାର ରୋକିବା ଓ ଜନସଚେତନତା ସୃଷ୍ଟିରେ ସହଯୋଗ କରୁଛନ୍ତି।
ଡେବ୍ରିଗଡ଼ ଅଞ୍ଚଳରେ ରୟାଲ ବେଙ୍ଗଲ ଟାଇଗରର ଉପସ୍ଥିତି ପରେ ବାଘ ସୁରକ୍ଷା ଓ ମାନବ-ବନ୍ୟଜନ୍ତୁ ସହାବସ୍ଥାନ ନେଇ ୧୦୦ରୁ ଅଧିକ ଗ୍ରାମରେ ସଚେତନତା ଅଭିଯାନ ଚାଲିଛି।
ବନ୍ୟପ୍ରାଣୀଙ୍କ ସୁରକ୍ଷା କେବଳ ଅପରାଧୀଙ୍କୁ ଗିରଫ କରିବା ନୁହେଁ, ବରଂ ଶିକାର ଭଳି ଅପରାଧ ଘଟିବା ପୂର୍ବରୁ ତାହାକୁ ରୋକିବା ହିଁ ମୁଖ୍ୟ ପ୍ରାଥମିକତା ବୋଲି ହିରାକୁଦ ବନ୍ୟପ୍ରାଣୀ ବିଭାଗର ଡିଏଫ୍ଓ କହିଛନ୍ତି।
#PadampurTv #Bargarh #Debrigarh #WildlifeProtection #Odisha