ଗତକାଲି ମାଲକାନଗିରି ଜିଲ୍ଲାରେ ଘଟିଯାଇଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ଏକ ଦ୍ରୁତଗତି ଆମ୍ବୁଲାନ୍ସ ଧକ୍କାରେ ଜଣେ ଶିକ୍ଷକଙ୍କ ଅକାଳ ମୃତ୍ୟୁ ଘଟିଛି। ମୃତକ ହେଲେ ସାଲିମି ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ଶିକ୍ଷକ ହନୁରାମ ନାୟକ । ସୂଚନା ଅନୁଯାୟୀ, ଶ୍ରୀ ନାୟକ ବିଏଲଓ କାର୍ଯ୍ୟ ପାଇଁ ବିଜାପଦର ଗ୍ରାମକୁ ଯାଇଥିଲେ। କାର୍ଯ୍ୟ ସାରି ସ୍କୁଟିରେ ଘରକୁ ଫେରୁଥିବା ବେଳେ ସାଲିମି-କିଆଙ୍ଗ ରାସ୍ତା ମଧ୍ୟରେ ଏକ ଦ୍ରୁତଗତି ଆମ୍ବୁଲାନ୍ସ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଶ୍ରୀ ନାୟକଙ୍କୁ ତୁରନ୍ତ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଆମ୍ବୁଲାନ୍ସ ଚାଳକ ନିଜେ ଥାନାରେ ଆତ୍ମସମର୍ପଣ କରିଥିବା ବେଳେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ଶିକ୍ଷକ ହନୁରାମ ନାୟକଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳ ସହ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି।