ସେବାସଦନ ଅନ୍ତେବାସୀଙ୍କ ଗହଣରେ ଦୀପାବଳି ପାଳିଲେ ବୌଦ୍ଧର ନୂତନ ଅତିରିକ୍ତ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ l
ଦିବ୍ୟାଙ୍ଗ ଶିଶୁ ଓ ଅସହାୟ ମହିଳାଙ୍କ ମଧ୍ୟରେ ଖୁସି ବାଣ୍ଟିଲେ, ରେଡିଓ ମାଧ୍ୟମରେ ଦେଲେ ଦୀପାବଳିର ଶୁଭେଚ୍ଛା l
ଆଲୋକର ପର୍ବ ଦୀପାବଳି କେବଳ ଆଲୋକର ଉତ୍ସବ ନୁହେଁ, ଏହା ପ୍ରେମ, ସ୍ନେହ, ସହାନୁଭୂତି ଓ ମାନବିକତାର ମହାନ ପର୍ବ। ଏହି ପର୍ବର ପ୍ରକୃତ ଆନନ୍ଦ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବା ଓ ଅସହାୟଙ୍କ ସହିତ ଖୁସି ବାଣ୍ଟିବାରେ ନିହିତ ରହିଛି। ଏହି ମହତ୍ ଭାବନାକୁ ସାକାର କରି ବୌଦ୍ଧ ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିରଞ୍ଚି ନାରାୟଣ ଦରୱାନ ଦିବ୍ୟାଙ୍ଗ ଶିଶୁ ଓ ଅସହାୟ ମହିଳାମାନଙ୍କ ଗହଣରେ ଦୀପାବଳି ପାଳନ କରି ଏକ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି।ଏହି ଅବସରରେ ଶ୍ରୀ ଦରୱାନ ବୌଦ୍ଧର ବୁଟୁପାଲିସ୍ଥିତ ଦୃଷ୍ଟିବାଧିତ ଓ ଶ୍ରବଣବାଧିତ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବିଦ୍ୟାଳୟ ସେବା ସଦନ ପରିଦର୍ଶନ କରି ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ସହ ଦୀପାବଳିର ଖୁସି ବାଣ୍ଟିଥିଲେ। ସେମାନଙ୍କୁ ମିଷ୍ଟାନ୍ନ ଓ ବାଣ ବଣ୍ଟନ କରିବା ସହିତ ସେମାନଙ୍କ ସହ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଶିଶୁମାନଙ୍କ ସହ ଆନନ୍ଦମୟ ମୁହୂର୍ତ୍ତ ବିତାଇ ସେମାନଙ୍କ ମନରେ ଉତ୍ସାହ ଓ ଖୁସି ଭରିଦେଇଥିଲେ।
ସେହିପରି ବୌଦ୍ଧସ୍ଥିତ ଶକ୍ତି ସଦନଠାରେ ଆଶ୍ରୟ ନେଇଥିବା ଅସହାୟ ଓ ନିରାଶ୍ରୟ ମହିଳା, ଅବିବାହିତ ମାତୃତ୍ୱର ସମ୍ମୁଖୀନ ହୋଇଥିବା ମହିଳା ତଥା ମାନବ ଚାଲାଣରୁ ଉଦ୍ଧାର ପାଇଥିବା ମହିଳାମାନଙ୍କ ସହିତ ମଧ୍ୟ ସେ ଦୀପାବଳି ପାଳନ କରିଥିଲେ। ସେମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିବା ସହ ଆତ୍ମୀୟତା ଓ ସହାନୁଭୂତିର ବାର୍ତ୍ତା ଦେଇଥିଲେ। ମହିଳାମାନଙ୍କ ସହିତ ଦୀପ ପ୍ରଜ୍ଜ୍ୱଳନ କରି ସେମାନଙ୍କ ଜୀବନରେ ନୂତନ ଆଶା, ଆଲୋକ ଓ ଆତ୍ମବିଶ୍ୱାସର ସଞ୍ଚାର କରିବାକୁ ପ୍ରୟାସ କରିଥିଲେ।ଏହାସହିତ ଶ୍ରୀ ଦରୱାନ ସ୍ଥାନୀୟ ଆଦର ଏଫ୍.ଏମ୍. ରେଡିଓ କେନ୍ଦ୍ରରେ ଯୋଗଦେଇ ରେଡିଓ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଦୀପାବଳିର ମହତ୍ତ୍ୱ ଓ ସାମାଜିକ ସଦ୍ଭାବନାର ବାର୍ତ୍ତା ପ୍ରଦାନ କରିବା ସହ ଏହି ପର୍ବକୁ ଆନନ୍ଦ, ଶାନ୍ତି ଓ ସୁରକ୍ଷାର ସହ ପାଳନ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ଶ୍ରୀ ଦରୱାନଙ୍କ ଏହି ପଦକ୍ଷେପ ଦୀପାବଳିର ପ୍ରକୃତ ବାର୍ତ୍ତା ସମାଜର ଶେଷଧାଡ଼ିରେ ଥିବା ଲୋକଙ୍କ ସହ ଖୁସି ବାଣ୍ଟିବା ଓ ସମସ୍ତଙ୍କ ଜୀବନରେ ଆଲୋକ ପ୍ରଦାନ କରିବା ଭାବନାକୁ ପ୍ରତିଫଳିତ କରିଛି।