ହରଭଙ୍ଗା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କଲେ ଜିଲ୍ଲାପାଳ l ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଉନ୍ନତ ମାନର କାର୍ଯ୍ୟ ସମ୍ପାଦନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ।
ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଆଜି ହରଭଙ୍ଗା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ନିର୍ମାଣାଧୀନ ପ୍ରକଳ୍ପ ପରିଦର୍ଶନ କରିବା ସହିତ ସେଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ।ଗସ୍ତ ଅବସରରେ ଜିଲ୍ଲାପାଳ ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେବା ପରେ ବ୍ଲକର ବିଭିନ୍ନ ସ୍ଥାନରେ ଚାଲୁଥିବା ପ୍ରକଳ୍ପ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ।ଅପରାହ୍ନ ୩.୩୦ ଘଟିକା ସମୟରେ ଜିଲ୍ଲାପାଳ ଶଙ୍କୁଲେଇ ପଞ୍ଚାୟତ ପାଣୀଘରା ଠାରେ ନିର୍ମିତ ମେଗା ଜଳଯୋଗାଣ ପ୍ରକଳ୍ପ, ଧଳପୁରସ୍ଥିତ କମ୍ୟୁନିଟି ସେଣ୍ଟର, ତିଲେଶ୍ୱରସ୍ଥିତ ପ୍ରାଥମିକ ବିଦ୍ୟାଳୟ, ମାଉସୀମା ମନ୍ଦିର ଏବଂ ମାର୍କେଟ୍ କମ୍ପ୍ଲେକ୍ସ ପରିଦର୍ଶନ କରିଥିଲେ। ଏହି ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ, ବର୍ତ୍ତମାନର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କଠାରୁ ତଥ୍ୟ ନେଇଥିଲେ।
ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବା ସହିତ ନିର୍ମାଣରେ ଉଚ୍ଚମାନର ଗୁଣବତ୍ତା ଓ ଉପଯୁକ୍ତ ମାନଦଣ୍ଡ ବଜାୟ ରଖିବାକୁ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ହିତ ଓ ଆବଶ୍ୟକତାକୁ ପ୍ରାଥମିକତା ଦେଇ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।ଏହି ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ବୌଦ୍ଧ ବିଡିଓ କର୍ଣ୍ଣ ସୁନାଙ୍କ ସମେତ ସମ୍ପୃକ୍ତ ଯନ୍ତ୍ରୀ ଓ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।ଜିଲ୍ଲାର ସାମଗ୍ରିକ ବିକାଶ ଓ ଜନସାଧାରଣଙ୍କୁ ଉନ୍ନତ ମୌଳିକ ସୁବିଧା ଯୋଗାଇଦେବା ଦିଗରେ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।