ମହାଳୟା ଅବସରରେ ମା’ ସମଲେଶ୍ୱରୀଙ୍କ ଦୁର୍ଲଭ ଧବଳମୁଖୀ ବେଶ: ଦର୍ଶନ କଲେ ମିଳେ ଗଙ୍ଗା ସ୍ନାନର ପୁଣ୍ୟ
ସମ୍ବଲପୁର-୧୦/୧୦
ଆଜି ପବିତ୍ର ମହାଳୟା ତିଥି। ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦୁର୍ଲଭ ଧବଳମୁଖୀ ବା ଗଙ୍ଗା ବେଶ ରେ ଦର୍ଶନ ଦେଉଛନ୍ତି । ବର୍ଷ ତମାମ ମା’ ସିନ୍ଦୁର ମୁହିଁ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ, କେବଳ ବର୍ଷକୁ ଥରେ ମହାଳୟାରେ ଏହି ସ୍ୱତନ୍ତ୍ର ବେଶରେ ନଜର ଆସିଥାଆନ୍ତି। ମା’ ଏହି ଦୁର୍ଲଭ ବେଶରେ ଅଢ଼େଇ ଦିନ ପର୍ଯ୍ୟନ୍ତ ରହିବେ।
ପିତୃପକ୍ଷର ଅନ୍ତିମ ଦିନ ମହାଳୟାରେ ପିତୃପୁରୁଷଙ୍କୁ ଜଳ ଅର୍ପଣ ପରେ ଗଙ୍ଗାରେ ବୁଡ଼ ପକାଇବାର ମହାନ ପରମ୍ପରା ରହିଛି। ଯେଉଁ ଶ୍ରଦ୍ଧାଳୁମାନେ ଗଙ୍ଗାକୁ ଯାଇପାରନ୍ତି ନାହିଁ, ସେମାନେ ମା’ଙ୍କ ଏହି ଧବଳମୁଖୀ ବେଶ ଦର୍ଶନ କରିବା ମାତ୍ରେ ଗଙ୍ଗା ସ୍ନାନର ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ଗଭୀର ଆଧ୍ୟାତ୍ମିକ ବିଶ୍ୱାସ ରହିଛି।
ମନ୍ଦିରର ମୂଖ୍ୟ ପୂଜକ ଅମ୍ବିକା ରାୟ କହିଛନ୍ତି ଯେ, ଆଜି ଭୋର ୪ଟାରେ ମନ୍ଦିର ଖୋଲାଯାଇ ମା’ଙ୍କୁ ସ୍ନାନ କରାଯିବା ପରେ ଧବଳମୁଖୀ ବେଶରେ ସୁସଜ୍ଜିତ କରାଯାଇଥିଲା। ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ପ୍ରାତଃ ୫ ଟା ପରଠୁ ଭକ୍ତମାନଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଥିଲା। ଆସନ୍ତାକାଲି ମା’ ସରସ୍ୱତୀ ବେଶରେ ଦର୍ଶନ ଦେବେ।
ମା’ଙ୍କ ଏହି ଅପୂର୍ବ ରୂପ ଦର୍ଶନ ପାଇଁ ଆଜି ସକାଳୁ ସମଲେଶ୍ୱରୀ ପୀଠରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛିl ଭକ୍ତଙ୍କ ଭିଡ଼କୁୃୃ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପର୍ଯ୍ୟାପ୍ତ ପୋଲିସ ଫୋର୍ସ ମୁତୟନ ହେବା ସହ ସ୍ୱତନ୍ତ୍ର ପାର୍କିଂ ଏବଂ ଶୃଙ୍ଖଳିତ ଧାଡ଼ି ଦର୍ଶନର ବ୍ୟବସ୍ଥା କରାଯାଇଥିଲା। ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ପାଇଁ ସ୍ୱତନ୍ତ୍ର ରାସ୍ତାର ବନ୍ଦୋବସ୍ତ ହୋଇଥିଲା।
ବ୍ୟୁରୋ ରିପୋର୍ଟ ଓଡିଶା ସିଟି ନ୍ଯୁଜ ସମ୍ବଲପୁର