ଜାମସେରା ବ୍ରିଜ୍ ନିକଟରେ ଆର.ଆଇ.ଙ୍କ ଉପରେ ଆକ୍ରମଣ ଘଟଣାକୁ ବିଧାୟକ ରୋହିତ ଜୋସେଫ୍ ତିର୍କୀଙ୍କ ଦୃଢ ନିନ୍ଦା, ଆପୋଲୋ ହସ୍ପିଟାଲରେ ପୀଡିତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲା ବିଧାୟକ ଟିମ୍
ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ୍ ତିର୍କୀଙ୍କ ନିର୍ଦ୍ଦେଶକ୍ରମେ ଆଜି ତାଙ୍କ ଟିମ୍ ରାଉରକେଲା ସ୍ଥିତ ଆପୋଲୋ ହସ୍ପିଟାଲ ଯାଇ ଖୁଣ୍ଟଗାଁ ଆର.ଆଇ.ଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି।
ସୂଚନା ଅନୁଯାୟୀ, ଗତ କିଛିଦିନ ପୂର୍ବରୁ ଜାମସେରା ବ୍ରିଜ୍ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଖୁଣ୍ଟଗାଁ ଆର.ଆଇ.ଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇ ବର୍ତ୍ତମାନ ଆପୋଲୋ ହସ୍ପିଟାଲ, ରାଉରକେଲାରେ ଚିକିତ୍ସିତ ହେଉଛନ୍ତି।
ବିଧାୟକଙ୍କ ଆଇନ ପରାମର୍ଶଦାତା ମହମ୍ମଦ ଏଜାଜ ଆଲମ, ଯୁବ ନେତା ହିମାଂଶୁ ପଣ୍ଡା, ଛାତ୍ର ନେତା ସାକିବ ଇଜ଼ା, ଜାନୁ ଏବଂ କୁନାଲ ହସ୍ପିଟାଲରେ ପହଞ୍ଚି ଡାକ୍ତର ଏବଂ ପରିବାର ଲୋକଙ୍କ ସହ କଥା ହୋଇ ତାଙ୍କ ଚିକିତ୍ସା ବିଷୟରେ ସବିଶେଷ ଖବର ନେଇଛନ୍ତି ଏବଂ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ଘଟଣାକୁ ବିଧାୟକ ଶ୍ରୀ ତିର୍କୀ ଦୃଢ ନିନ୍ଦା କରିବା ସହ କହିଛନ୍ତି, "ଜଣେ ସରକାରୀ କର୍ମଚାରୀଙ୍କ ଉପରେ ଏଭଳି ଆକ୍ରମଣ କେବେ ବି ବରଦାସ୍ତ କରାଯିବ ନାହିଁ। ଆଇନ ହାତକୁ ନେବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର।"
ବିଧାୟକ ରାଉରକେଲା ଏସ.ପି. ଏବଂ ବିଶ୍ରା ପୋଲିସ ପ୍ରଶାସନକୁ ତୁରନ୍ତ ଦୋଷୀମାନଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏଥି ସହିତ ଆହତ ଆର.ଆଇ.ଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
Raurkela M, Sundargarh | Nov 22, 2026