👉 ଗନ୍ଧମାର୍ଦ୍ଦନରେ ଖଣି ଖନନ ଆଶଙ୍କାକୁ ନେଇ ଚିନ୍ତା ପ୍ରକାଶ
ବିଧାନସଭାରେ ଖଣି ଖନନ ନିଷିଦ୍ଧ ପାଇଁ ସଂକଳ୍ପ ପାରିତ କରିବାକୁ ଦାବି
ହରିଶଙ୍କର, ୧୪/୧୧: ଗନ୍ଧମାର୍ଦ୍ଦନ ପର୍ବତମାଳାରେ ପୁନର୍ବାର ଖଣି ଖନନ ଆଶଙ୍କାକୁ ନେଇ ପରିବେଶବିତ୍ ଓ ଆନ୍ଦୋଳନକାରୀମାନେ ଚିନ୍ତା ପ୍ରକାଶ କରିଛନ୍ତି। ଗନ୍ଧମାର୍ଦ୍ଦନର ପ୍ରାକୃତିକ ସମ୍ପଦ ଓ ପରିବେଶର ସୁରକ୍ଷା ପାଇଁ ଓଡ଼ିଶା ବିଧାନସଭାରେ ଖଣି ଖନନକୁ ନିଷିଦ୍ଧ କରିବା ସମ୍ପର୍କିତ ସଂକଳ୍ପ ପାରିତ କରିବାକୁ ଦାବି ଉଠିଛି।
ବଲାଙ୍ଗୀର ଜିଲ୍ଲାର ଜିନ୍ଦାବାଦ ସଂଗଠନ ଆନୁକୂଲ୍ୟରେ ନଭେମ୍ବର ୧୩ ଓ ୧୪ ତାରିଖ ଦୁଇଦିନ ଧରି ହରିଶଙ୍କର ଗନ୍ଧମାର୍ଦ୍ଦନ ଆବାସଠାରେ ଆୟୋଜିତ ଆଲୋଚନାଚକ୍ରରେ ଏହି ମତ ପ୍ରକାଶ ପାଇଛି। ଏଥିରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସାମାଜିକ କର୍ମୀ, ପରିବେଶବିତ୍, କୃଷକ ନେତା, ବୁଦ୍ଧିଜୀବୀ ଓ ଆନ୍ଦୋଳନକାରୀମାନେ ଯୋଗଦେଇଥିଲେ।
ଆଲୋଚନାରେ କୁହାଯାଇଥିଲା ଯେ, ୧୯୮୦ ଦଶକରେ ଜନଆନ୍ଦୋଳନର ଚାପରେ ବାଲକୋ କମ୍ପାନୀର ଗନ୍ଧମାର୍ଦ୍ଦନ ବକ୍ସାଇଟ୍ ଖଣି ପ୍ରକଳ୍ପ ବନ୍ଦ ହେବା ଭାରତର ଏକ ଐତିହାସିକ ଖଣିବିରୋଧୀ ଆନ୍ଦୋଳନ ଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ କମ୍ପାନୀ ପକ୍ଷରୁ ଖଣି ଖନନ ପାଇଁ ଉଦ୍ୟମ ହୋଇଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ସଚେତନତା ଓ ପ୍ରତିରୋଧ ଯୋଗୁଁ ଗନ୍ଧମାର୍ଦ୍ଦନର ପ୍ରାକୃତିକ ସମ୍ପଦ ଆଜି ମଧ୍ୟ ସୁରକ୍ଷିତ ରହିଛି।
ତେବେ ୨୦୨୪ ମସିହାର ଶେଷ ଭାଗରେ ଗନ୍ଧମାର୍ଦ୍ଦନ ପାଦଦେଶର ବିଭିନ୍ନ ଗ୍ରାମରେ ଆଦାନୀ କମ୍ପାନୀ ପକ୍ଷରୁ ଜମି କ୍ରୟ, ବରଗଡ଼-ରାୟପୁର ରେଳପଥ ପ୍ରକଳ୍ପର ଅନୁମତି ଓ ତ୍ୱରାନ୍ୱିତ କାର୍ଯ୍ୟ ସହ ଆଲୁମିନିୟମ୍ ହବ୍ ପ୍ରତିଷ୍ଠା ସମ୍ପର୍କିତ ଘଟଣାକ୍ରମ ଗନ୍ଧମାର୍ଦ୍ଦନରେ ଖଣି ଖନନ ଆଶଙ୍କାକୁ ଆହୁରି ବଢ଼ାଇଛି ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।
ବାଲକୋ ହଟାଓ ଆନ୍ଦୋଳନର ପ୍ରମୁଖ କର୍ମୀ ତଥା କୃଷକ ନେତା ଲିଙ୍ଗରାଜଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମକୁ ଜିନ୍ଦାବାଦ ସଂଗଠନର ଉପଦେଷ୍ଟା ତ୍ରିଲୋଚନ ପୁଞ୍ଜି ସଂଯୋଜନା କରିଥିଲେ। ବିଶିଷ୍ଟ ପରିବେଶ କର୍ମୀ ତଥା NAPMର ରାଷ୍ଟ୍ରୀୟ ନେତା ପ୍ରଫୁଲ୍ଲ ସାମନ୍ତରା ସଂସଦରେ MMDR ଆଇନ ସଂଶୋଧନ ଓ ଖଣି ଲିଜ୍ ପ୍ରଦାନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ଓଡ଼ିଶାର ଖଣିଜ ସମ୍ପଦକୁ କେବଳ କଞ୍ଚାମାଲ ଭାବେ ବ୍ୟବହାର କରାଯିବା ରାଜ୍ୟର ଭବିଷ୍ୟତ ପାଇଁ ବିପଦଜନକ ବୋଲି ସେ ଚେତାବନୀ ଦେଇଥିଲେ।
ବିଭିନ୍ନ ଅଧିବେଶନରେ ଖଡ଼ିଆଳ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଫଣୀଧର ସିଂଦେଓ ଓ ପଦ୍ମଲୋଚନ ବର୍ମା, କଣ୍ଟାବାଞ୍ଜିର ମାନବାଧିକାର ଆଇନଜୀବୀ ବିଷ୍ଣୁ ପ୍ରସାଦ ଶର୍ମା, ଝାରସୁଗୁଡ଼ାର ସାମାଜିକ କର୍ମୀ ଅନନ୍ତ, ନୂଆପଡ଼ାର ସାଂସ୍କୃତିକ କର୍ମୀ ଓ ନାଟ୍ୟକାର ଶଙ୍କର ମହାନନ୍ଦ ଓ ସୁମନ, ବଲାଙ୍ଗୀରର ବାଲକୃଷ୍ଣ ଶାଣ୍ଢ, ବରଗଡ଼ ଜୟ କିଷାନ ଆନ୍ଦୋଳନର ସଭାପତି ସୁଶୀଲ ସାହୁ, SUCI(C)ର ଜିଲ୍ଲା କମିଟି ସଭ୍ୟ ମଧୁସୂଦନ ବାଗ ଓ ତାମସ ବେହେରା, ପଦ୍ମପୁରର ମିଡ଼ିଆ କର୍ମୀ ଗୋପବନ୍ଧୁ ଶିକା, ଲୋୟର ସୁକତେଲ ବିସ୍ଥାପିତ ଆନ୍ଦୋଳନକାରୀ ସତ୍ୟ ବଞ୍ଛୋର ଏବଂ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ପ୍ରବକ୍ତା ସରୋଜ ମହାନ୍ତି ନିଜ ନିଜ ମତ ରଖିଥିଲେ।
ଗନ୍ଧମାର୍ଦ୍ଦନର ସୁରକ୍ଷା ପ୍ରସଙ୍ଗରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକର ସ୍ଥାନୀୟ ନେତାମାନେ ସର୍ବସାଧାରଣରେ ଖଣି ଖନନକୁ ଅନୁମତି ଦିଆଯିବ ନାହିଁ ବୋଲି କହୁଥିବାବେଳେ ଶୀର୍ଷ ନେତୃତ୍ୱଙ୍କ ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଆଗାମୀ ବିଧାନସଭା ଅଧିବେଶନରେ ସମସ୍ତ ରାଜନୈତିକ ଦଳ ଏକମତ ହୋଇ ଗନ୍ଧମାର୍ଦ୍ଦନରେ ଖଣି ଖନନକୁ ନିଷିଦ୍ଧ ଘୋଷଣା କରିବା ପାଇଁ ସଂକଳ୍ପ ପାରିତ କରନ୍ତୁ ବୋଲି ଆହ୍ୱାନ ଦିଆଯାଇଥିଲା। ଶାସକ ବିଜେପି ନିରବ ରହିଲେ ବିଜେଡି ଓ କଂଗ୍ରେସ ଏଭଳି ପ୍ରସ୍ତାବ ଆଗତ କରିବାକୁ ମଧ୍ୟ ଦାବି ହୋଇଥିଲା।
ଏହା ସହ ଆସନ୍ତା ଜାନୁଆରୀ ୨୦୨୭ରେ ଏକ ସାଂସ୍କୃତିକ ଦଳ ଗଠନ କରି ଗନ୍ଧମାର୍ଦ୍ଦନରୁ ଦେଓମାଳି ପର୍ଯ୍ୟନ୍ତ ବକ୍ସାଇଟ୍ ସମୃଦ୍ଧ ବିଭିନ୍ନ ପର୍ବତାଞ୍ଚଳରେ ‘ମାଳିର ଗୀତ-ଗୀତର ମାଳି’ ନାମକ ସାଂସ୍କୃତିକ ଯାତ୍ରା ଆୟୋଜନ କରିବାକୁ ଯୋଜନା ହୋଇଛି।
କାର୍ଯ୍ୟକ୍ରମରେ ଜିନ୍ଦାବାଦ ସଂଗଠନର ଗୋଲାପ ନିଆଲ, ଖିରସିନ୍ଧୁ ମାଝୀ, ମିଲନ ପୁଞ୍ଜି, ଡୋଲାମଣି ବନଛୋର, ଲକ୍ଷ୍ମଣ କୁମାର, ତପନାଥ ସାହୁଙ୍କ ସମେତ ନନ୍ଦୁପଲା ଗ୍ରାମର ତରଣୀ ବରିହା ଓ ପୁଟୁଳ ବରିହା ସହଯୋଗ କରିଥିଲେ।