କୋରାପୁଟ HAL କେନ୍ଦ୍ର ପୂର୍ବ ଭାରତକୁ ଦେବ ନୂଆ ପରିଚୟ
କୋରାପୁଟ HAL କେନ୍ଦ୍ର ପୂର୍ବ ଭାରତକୁ ଦେବ ନୂଆ ପରିଚୟ
୨୦୦୦ତମ ଏରୋ-ଇଞ୍ଜିନ ଡେଲିଭରି, ଶକ୍ତି ଇଞ୍ଜିନର ଦ୍ୱିତୀୟ ଲାଇନର ଶିଳାନ୍ୟାସ
ସୁନାବେଡ଼ା HAL କେନ୍ଦ୍ର ଓ ବିଶାଖାପାଟଣାରେ ବିକଶିତ ହେଉଥିବା ପ୍ରତିରକ୍ଷା, ନାଭାଲ ଓ ଜାହାଜ ନିର୍ମାଣ ଇକୋସିଷ୍ଟମ୍ ମିଶି ପୂର୍ବ ଭାରତକୁ ନୂଆ ଔଦ୍ୟୋଗିକ ଓ ରଣନୈତିକ ପରିଚୟ ଦେବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ମଙ୍ଗଳବାର ସୁନାବେଡ଼ା HAL କୋରାପୁଟ ଡିଭିଜନ ପରିଦର୍ଶନ କରି ସେ ୨୦୦୦ତମ ଏରୋ-ଇଞ୍ଜିନର ଡେଲିଭରି କାର୍ଯ୍ୟକ୍ରମରେ ଯୋଗଦେବା ସହ ‘ଶକ୍ତି’ ଇଞ୍ଜିନର ଦ୍ୱିତୀୟ ମାନୁଫାକ୍ଚରିଂ ଲାଇନର ଶିଳାନ୍ୟାସ କରିଥିଲେ।
୧୯୬୪ରୁ HAL କୋରାପୁଟ MiG-21, MiG-27, MiG-29 ଓ Su-30MKI ଭଳି ଯୁଦ୍ଧବିମାନ ପାଇଁ ଇଞ୍ଜିନ ନିର୍ମାଣ କରିଆସୁଛି। ଏହି ଡିଭିଜନ ୯ ହଜାରରୁ ଅଧିକ ଇଞ୍ଜିନର ଓଭରହଲ କରିସାରିଛି। ୨୦୦୦ତମ ଇଞ୍ଜିନ ଡେଲିଭରିକୁ ଭାରତର ଏରୋସ୍ପେସ୍ ଯାତ୍ରାର ଏକ ମାଇଲଖୁଣ୍ଟ ବୋଲି ରାଜନାଥ କହିଥିଲେ। ଏରୋ-ଇଞ୍ଜିନ ନିର୍ମାଣର ଦକ୍ଷତା ଭବିଷ୍ୟତର AMCA ପଞ୍ଚମ ପିଢ଼ିର ଯୁଦ୍ଧବିମାନ ପାଇଁ ଉଚ୍ଚ ଥ୍ରଷ୍ଟ ଇଞ୍ଜିନ ବିକାଶରେ ସହାୟକ ହେବ ବୋଲି ସେ କହିଛନ୍ତି।
Su-30MKI ପାଇଁ ୨୪୦ଟି AL-31FP ଇଞ୍ଜିନ ଅର୍ଡର ମଧ୍ୟରୁ ଉତ୍ପାଦନ ଓ ଯୋଗାଣରେ HAL ଉଲ୍ଲେଖନୀୟ ଅଗ୍ରଗତି କରିଛି। AL-31FP ଉତ୍ପାଦନ କ୍ଷମତା ବଢ଼ାଇବା ପାଇଁ ୩୩୫ କୋଟି ଏବଂ ‘ଶକ୍ତି’ ଇଞ୍ଜିନର ଦ୍ୱିତୀୟ ଲାଇନ ପାଇଁ ୨୧୮ କୋଟି ଟଙ୍କା ନିବେଶ କରାଯାଉଛି।
HAL କୋରାପୁଟକୁ କେବଳ ଏକ କାରଖାନା ନୁହେଁ, ‘ଏରୋସ୍ପେସ୍ ପ୍ରପଲସନ ଇକୋସିଷ୍ଟମ୍’ର ମୁଖ୍ୟ କେନ୍ଦ୍ର ଭାବେ ବିକଶିତ କରିବାକୁ ରାଜନାଥ ଆହ୍ୱାନ ଦେଇଥିଲେ। ଏଥିରେ MSME, ଷ୍ଟାର୍ଟଅପ୍, ବିଶ୍ୱବିଦ୍ୟାଳୟ ଓ ସ୍ଥାନୀୟ ଯୁବପିଢ଼ିଙ୍କୁ ସାମିଲ କରିବାକୁ ସେ କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରତିରକ୍ଷା ଉତ୍ପାଦନ ବିଭାଗର ସଚିବ ସଞ୍ଜୀବ କୁମାର, HAL CMD କେ. ରବି, DCAS ଏୟାର ମାର୍ଶାଲ ତେଜ ପାଲ ସିଂହଙ୍କ ସମେତ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋରାପୁଟ, କୋଟପାଡ଼ ଓ ଲକ୍ଷ୍ମୀପୁର ବିଧାୟକ ଏବଂ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଉପସ୍ଥିତ ଥିଲେ।