ସୁନାବେଡ଼ା ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
ଶକ୍ତି ଇଞ୍ଜିନ୍ ସୁବିଧା ପ୍ରତିଷ୍ଠାର ଶିଳାନ୍ୟାସ କରିବେ; ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରହିବେ ଉପସ୍ଥିତ।
ଆଜି କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ (ଏଚଏଏଲ) ପରିସରକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗସ୍ତ କରିଛନ୍ତି। ତାଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ରହିବେ। ଏଚଏଏଲ, ସୁନାବେଡ଼ା ଠାରେ ‘ଶକ୍ତି’ ଇଞ୍ଜିନ୍ ପାଇଁ ବିଭିନ୍ନ ସୁବିଧା ପ୍ରତିଷ୍ଠାର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଶ୍ରୀ ସିଂହ ଯୋଗ ଦେଇ ଛନ୍ତି। କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିଶାଖାପାଟଣା ସ୍ଥିତ ଆଇଏନ୍ଏସ୍ ଦେଗା ବିମାନବନ୍ଦରରୁ ମି-୧୭ ହେଲିକପ୍ଟର ଯୋଗେ ଦିନ ୧ଟା ୪୦ରେ ସୁନାବେଡ଼ା ଅଭିମୁଖେ ବାହାରିଛନ୍ତି। ଅପରାହ୍ନ ୨ଟା ୨୫ରେ ସେ ଏଚଏଏଲ୍ ହେଲିପ୍ୟାଡ୍ରେ ପହଞ୍ଚିବା ପରେ ଶକ୍ତି ଇଞ୍ଜିନ୍ ସୁବିଧା ପ୍ରତିଷ୍ଠାର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ।ଏହି କାର୍ଯ୍ୟକ୍ରମ ପରେ ଅପରାହ୍ନ ୪ଟା ୫ ମିନିଟ୍ରେ ଶ୍ରୀ ସିଂହ ସୁନାବେଡ଼ାରୁ ମି-୧୭ ହେଲିକପ୍ଟରରେ ବିଶାଖାପାଟଣା ଫେରିବେ। ସେଠାରୁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ପରେ ନିଜ ଗସ୍ତ କାର୍ଯ୍ୟକ୍ରମ ଅନୁଯାୟୀ ଫେରିବାର କାର୍ଯ୍ୟସୂଚୀ ରହିଛି।ଦୁଇ ଜଣ ବିଶିଷ୍ଟ ଅତିଥିଙ୍କ ଗସ୍ତକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ, ପୁଲିସ ଓ ସୁରକ୍ଷା ଏଜେନ୍ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କୋରାପୁଟ ଜିଲ୍ଲାପାଳ ଓ ଏସ୍ପି ହେଲିପ୍ୟାଡ୍ର ସ୍ଥାନ ଓ ଅବସ୍ଥିତିର ସଠିକତା ଯାଞ୍ଚ ସହ ଆବଶ୍ୟକ ସୁରକ୍ଷା, ଯାତାୟାତ ଓ ଅନ୍ୟାନ୍ୟ ବ୍ୟବସ୍ଥା ସୁନିଶ୍ଚିତ କରିଛନ୍ତି।