ମାଲକାନଗିରି ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଆଥଲେଟିକ ଆସୋସିଏସନ ପକ୍ଷରୁ ସାହାଣୀ କପ୍ ଫୁଟବଲ ପାଇଁ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୧୨୦ ଜଣ କ୍ରୀଡ଼ାବିତ ଏହି ଚୟନ ଶିବିରରେ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମୁନ୍ନା ତୁରୁକ ଯୋଗଦେଇ କ୍ରୀଡ଼ାବିତମାନଙ୍କୁ ଶୃଙ୍ଖଳାର ସହ ଖେଳ ପ୍ରଦର୍ଶନ କରିବା ସହ ନିଜର ପ୍ରତିଭା ଓ କ୍ରୀଡ଼ା ନୈପୁଣ୍ୟ ମାଧ୍ୟମରେ ଜିଲ୍ଲାର ଗୌରବ ବଢ଼ାଇବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଜିଲ୍ଲା ଆଥଲେଟିକ ଆସୋସିଏସନର ସମ୍ପାଦକ ରାମହରୀ ପଣ୍ଡା ଓ କୋଷାଧ୍ୟକ୍ଷ ଏସ୍. ପ୍ରସାଦ ରାଓ ଉପସ୍ଥିତ ରହି କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିଥିଲେ। ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ଏହାର ସୁଯୋଗ ନେଇ ନିଜର ପ୍ରତିଭାର ବିକାଶ କରିବାକୁ ସେମାନେ ପରାମର୍ଶ ଦେଇଥିଲେ। ଚୟନ ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ ୧୨୦ ଜଣଙ୍କ ମଧ୍ୟରୁ ୩୦ ଜଣ କ୍ରୀଡ଼ାବିତଙ୍କୁ ଚୟନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଏହି ୩୦ ଜଣଙ୍କ ମଧ୍ୟରୁ ୨୦ ଜଣଙ୍କୁ ଚୂଡ଼ାନ୍ତ ଭାବେ ଚୟନ କରାଯିବ। ଚୟନ ହେବାକୁ ଥିବା ଏହି ୨୦ ଜଣ କ୍ରୀଡ଼ାବିତ ସାହାଣୀ କପ୍ ଫୁଟବଲ ପ୍ରତିଯୋଗିତାରେ ମାଲକାନଗିରି ଜିଲ୍ଲା ପକ୍ଷରୁ ଅଂଶଗ୍ରହଣ କରିବେ।