
ବୌଦ୍ଧ ଜିଲ୍ଲାର ପୂର୍ବତନ ସୈନିକ ତଥା ସଂଘର ପୂର୍ବତନ ସଂପାଦକ ରଞ୍ଜିତ ଅମାତ୍ଙ୍କ ପରଲୋକ
ବୌଦ୍ଧ ଜିଲ୍ଲା ପୂର୍ବତନ ସୈନିକ ଭେଟେରାନ୍ସ ସଂଘର ପୂର୍ବତନ ସମ୍ପାଦକ, ଭାରତୀୟ ସ୍ଥଳସେନାର ଅବସରପ୍ରାପ୍ତ ହାବିଲଦାର ରଞ୍ଜିତ ଅମାତ୍ (୫୫)ଙ୍କର ଦୁଃଖଦ ପରଲୋକ ହୋଇଯାଇଛି। ସେ ଦୀର୍ଘ ୫-୬ ଦିନ ଧରି ଭୁବନେଶ୍ୱରର ସମ୍ ଅଲ୍ଟିମେଟମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତ (ରବିବାର) ସକାଳ ୧୧ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଗତକଲି ସକାଳେ ତାଙ୍କର ପାର୍ଥିବ ଶରୀର ଭୁବନେଶ୍ୱରରୁ ପୈତୃକ ଗ୍ରାମ ଗିରାସିଂଗା (ମର୍ଜାଦପୁର)ରେ ପହଞ୍ଚିବା ପରେ ସଂଘର କର୍ମକର୍ତ୍ତା, ସଦସ୍ୟ, ପରିବାରବର୍ଗ ଓ ଗ୍ରାମବାସୀ ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଂଘ ପକ୍ଷରୁ ପାର୍ଥିବ ଶରୀର ଉପରେ ଜାତୀୟ ପତାକା ଦେଇ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା। ତେବେ ଏହି ସମୟରେ ଜିଲ୍ଲା ପ୍ରଶାସନର କୌଣସି ପ୍ରତିନିଧି ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା।
ସ୍ୱର୍ଗତ ଅମାତ୍ ସେନାର ସିଗ୍ନାଲ କୋରରେ ୨୨ ବର୍ଷ ସେବା କରିବା ପରେ ଅବସର ନେଇଥିଲେ। ଚାକିରି ପଛରେ ନ ଦୌଡ଼ି ନିଜ ଗ୍ରାମରେ ଚାଷବୃତ୍ତି କରି ଜୀବିକା ନିର୍ବାହ କରୁଥିଲେ। ସରସରାରେ ସୈନିକ ସଂଘର କାର୍ଯ୍ୟାଳୟ ଗୃହ ନିର୍ମାଣରେ ତାଙ୍କର ପ୍ରମୁଖ ଯୋଗଦାନ ଥିଲା। ତାଙ୍କ ବିୟୋଗରେ ସଂଘ ଜଣେ ସଚ୍ଚୋଟ ସାଥୀଙ୍କୁ ହରାଇଲା ବୋଲି ସୁବେଦାର ଲଳିତ କୁମାର ସାହୁ ମତବ୍ୟକ୍ତ କରିଛନ୍ତି।
ମୃତ୍ୟୁବେଳକୁ ସେ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ଛାଡ଼ି ଯାଇଛନ୍ତି। ତାଙ୍କ ଅମର ଆତ୍ମାର ସଦ୍ଗତି କାମନା ସହ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ପ୍ରଦାନ ପାଇଁ ମା’ ଭୈରବୀଙ୍କ ନିକଟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା