ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ । ଅକ୍ଟୋବର ମାସକୁ ଦୁର୍ଘଟଣା ମୃତ୍ୟୁଶୂନ୍ୟ କରିବା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ l
ବୌଦ୍ଧଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଟର ଭେହିକିଲ୍ ଆଇନ୍ ଅନୁଯାୟୀ ଜୋରିମାନା ସଂଗ୍ରହ, ଜିଲ୍ଲାରେ ଘଟୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ସମ୍ପର୍କିତ ସମୀକ୍ଷା, ଟାସ୍କ ଫୋର୍ସ କାର୍ଯ୍ୟ, ପୂର୍ବତନ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକର କାର୍ଯ୍ୟବିବରଣୀ ଏବଂ ସଡ଼କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଆଞ୍ଚଳିକ ପରିବହନ ଅଧିକାରୀ ସୁଶମା ସାହୁ ସମସ୍ତଙ୍କୁ ସ୍ବାଗତ କରି ପାୱାର ପଏଣ୍ଟ ମାଧ୍ୟମରେ ବିଭାଗର କାର୍ଯ୍ୟାବଳୀ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳ କହିଲେ ଯେ, ବୌଦ୍ଧ ଜିଲ୍ଲାବାସୀଙ୍କ ଧନ ଜୀବନ ସୁରକ୍ଷା ରଖିବା ଆମର ପ୍ରାଥମିକତା ହେବ ।ଅକ୍ଟୋବର ମାସକୁ ଦୁର୍ଘଟଣା ମୃତ୍ୟୁଶୂନ୍ୟ ମାସ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l ବୈଠକରେ ବାଧ୍ୟତାମୂଳକ
ହେଲମେଟ ପରିଧାନ , ମଦ୍ୟପ ଡ୍ରାଇଭର ମାନଙ୍କୁ ନିୟମିତ ଯାଞ୍ଚ କରି ଜରିମାନା ଆଦାୟ , ରାସ୍ତାରେ ବାଲି, ମେଟାଲ ଜମା ହେବା, ଭାରିଯାନ ପାର୍କିଂ, ଗୋରୁ ଗାଈ ନିୟନ୍ତ୍ରଣ ଓ ରାସ୍ତା ରୁ ଜବର ଦଖଲ ଉଚ୍ଛେଦ ପାଇଁ ଆଲୋଚନା ହୋଇଥିଲା। ଏଥିପାଇଁ ପରିବହନ, ପୋଲିସ, ଅବକାରୀ ବିଭାଗ, ପୌର ପରିଷଦ ଓ ତହସିଲଦାର ମିଳିତ ଭାବରେ ପଦକ୍ଷେପ ଗ୍ରହଣ କରିବେ । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସମସ୍ତ ରାସ୍ତା ୧୫ ଦିନ ମଧ୍ୟରେ ମରାମତି କରିବା ପାଇଁ ଆର୍ ଡି, ପୂର୍ତ୍ତ ଓ ଏନ୍ ଏଚ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l
ସମୀକ୍ଷାରୁ ଜଣାଗଲା ଯେ, ଚଳିତ ୨୦୨୬ ମସିହାର ପ୍ରଥମ ୮ ମାସ ମଧ୍ୟରେ ଜିଲ୍ଲାରେ ମୋଟ ୭୮୬୮ଟି ଚାଲାଣ କଟାଯାଇଥିବା ବେଳେ ୨ କୋଟି ୦୫ ଲକ୍ଷ ୦୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।ଆରଟିଓ ଙ୍କ ପକ୍ଷରୁ ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ୧୨୫ଟି, ହେଲମେଟ୍ ନ ପିନ୍ଧିବା ପାଇଁ ୨୯୫୫ଟି, ଅତ୍ୟଧିକ ବେଗରେ ଗାଡ଼ି ଚଳାଇବା ପାଇଁ ୩୦୩୮ଟି ଏବଂ ମଦ୍ୟପାନ କରି ଗାଡ଼ି ଚଳାଇବା ପାଇଁ ୧୮୫ଟି ମାମଲା ରୁଜୁ ହେବା ସହ ୯୪୦ଟି ଡ୍ରାଇଭିଂ ଲାଇସେନ୍ସ ସସ୍ପେଣ୍ଡ କରାଯାଇଥିଲା । ସେହିପରି ପୋଲିସ ପକ୍ଷରୁ ଇ-ଚାଲାଣ ମାଧ୍ୟମରେ ହେଲମେଟ୍ ନ ପିନ୍ଧିବା ପାଇଁ ୧୪୪୨ଟି ଓ ସିଟ୍ ବେଲ୍ଟ ନ ପିନ୍ଧିବା ପାଇଁ ୧୧୧୩ , ମଦ୍ୟପ ଗାଡ଼ି ଚାଳନା ପାଇଁ ୧୨୨ ଟି ଚାଲାଣ କରାଯାଇଥିବା ସୂଚନା ଦିଆଯାଇଥିଲା । ଏ ବର୍ଷର ପ୍ରଥମ ୮ ମାସ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୫୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୪ ଜଣ ଗୁରୁତର ଆହତ ୧ହୋଇଛନ୍ତି l ଏହି ଅବସରରେ ଦୁର୍ଘଟଣାରୁ ଜୀବନ ରକ୍ଷା କରିଥିବାରୁ ବେଷ୍ଟ୍ ସାମାରିଟାନ ହିସାବରେ ପିପଲକଟା ର ଅଟୋ ଚାଳକ ସୁଦର୍ଶନ ଦେହେରିଙ୍କୁ
୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା l
ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ତହସିଲଦାର ବୌଦ୍ଧ ଅନିତା କୁମାରୀ ସାହୁ , ଆର୍ ଆଣ୍ଡ ବି ଯନ୍ତ୍ରି କୁନା ଚରଣ ସିଂ, ଜିଲ୍ଲା ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି, ଜିଲ୍ଲା , ଏମ୍ଭିଆଇ ସଞ୍ଜୟ କୁମାର ବେହେରା, ଟ୍ରାଫିକ ଇନସ୍ପେକ୍ଟର ଦେବାଶିଷ ନାୟକ, ଟ୍ରକ୍ ମାଲିକ ସଂଘ ସଭାପତି ଶିବ ପ୍ରସାଦ ମିଶ୍ର ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ
#Boudh #RoadSafety #Odisha #RoadSafetyAwareness #BoudhNews