ଏକମ୍ବାରେ ସ୍ମଶାନକୁ ନାହିଁ ରାସ୍ତା, ବଢୁଛି ଜନ ଅସନ୍ତୋଷ।
ଜୟପୁର ସହରଠାରୁ ମାତ୍ର ୭ କିଲୋମିଟର ଦୂରରେ ଥିବା ଏକମ୍ବା ପଞ୍ଚାୟତ ମୁଖ୍ୟାଳୟରେ ସ୍ମଶାନକୁ ଯିବା ପାଇଁ ରାସ୍ତା ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ। ମୃତଦେହକୁ ସ୍ମଶାନକୁ ନେବା ସମୟରେ ପରିବାର ଓ ଗ୍ରାମବାସୀଙ୍କୁ ପ୍ରତିଥର ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି। ଶୁକ୍ରବାର ଏକମ୍ବା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏହି ସମସ୍ୟା ପୁଣି ସାମ୍ନାକୁ ଆସିଥିଲା। ଅନ୍ତିମ ସଂସ୍କାର ପାଇଁ ମୃତଦେହକୁ ସ୍ମଶାନକୁ ନେବାକୁ ରାସ୍ତା ନଥିବାରୁ ଗ୍ରାମବାସୀଙ୍କୁ ଏକ ଛୋଟ କେନାଲ ଦେଇ ପାଣି ଓ କାଦୁଅ ଭିତରେ ପଶି ମୃତଦେହ ବୋହି ନେବାକୁ ପଡ଼ିଥିଲା। ଏଭଳି ଦୃଶ୍ୟ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏକମ୍ବା ଭଳି ପଞ୍ଚାୟତ ମୁଖ୍ୟାଳୟରେ ମୃତଦେହକୁ ସମ୍ମାନର ସହ ସ୍ମଶାନକୁ ନେବା ପାଇଁ ଏକ ରାସ୍ତା ମଧ୍ୟ ନଥିବା ଅତ୍ୟନ୍ତ ଦୁଃଖଦ ବିଷୟ। ଗ୍ରାମର ଏହି ମୌଳିକ ସମସ୍ୟା ପ୍ରତି ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଦୃଷ୍ଟି ଦେଉନଥିବା ସେମାନେ ଅଭିଯୋଗ କରିଛନ୍ତି।
ସ୍ମଶାନକୁ ଯାତାୟାତ ପାଇଁ ତୁରନ୍ତ ରାସ୍ତା ନିର୍ମାଣ କରିବା ସହ ଏହି ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ—ଏହା ଗ୍ରାମବାସୀଙ୍କ ଦାବି।