Writing
ଓଡ଼ିଶାର ୧୦୧୯ ମହାବିଦ୍ୟାଳୟରେ ମିଳିବ ମାଗଣା ହାଇସ୍ପିଡ୍ ୱାଇ-ଫାଇ
‘ଓଡ଼ିଶା ଶିକ୍ଷାସେତୁ’ ଯୋଜନା ପାଇଁ ୩୬୩.୭୨ କୋଟି ଟଙ୍କାର ବ୍ୟୟବରାଦ
ଭୁବନେଶ୍ୱର: ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଡିଜିଟାଲ୍ ଓ ଅଧିକ ଆଧୁନିକ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଆରମ୍ଭ କରିବାକୁ ଯାଉଛନ୍ତି ଏକ ନୂଆ ଫ୍ଲାଗସିପ୍ ଯୋଜନା ‘ଓଡ଼ିଶା ଶିକ୍ଷାସେତୁ’। ଏହି ଯୋଜନା ପାଇଁ ୩୬୩.୭୨ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି।
ଯୋଜନା ଅନୁଯାୟୀ, ରାଜ୍ୟର ୧୦୧୯ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମାଗଣା, ସୁରକ୍ଷିତ ଓ ହାଇସ୍ପିଡ୍ ୱାଇ-ଫାଇ ସେବା ଯୋଗାଇ ଦିଆଯିବ। ପ୍ରତ୍ୟେକ ଛାତ୍ରଛାତ୍ରୀ ଦୈନିକ ୧ GB ପର୍ଯ୍ୟନ୍ତ ଇଣ୍ଟରନେଟ୍ ଡାଟା ବ୍ୟବହାର କରିପାରିବେ।
ଏହାଦ୍ୱାରା ଡିଜିଟାଲ୍ ଶିକ୍ଷା, ଅନଲାଇନ୍ ପାଠପଢ଼ା, ସାଇବର ସୁରକ୍ଷା, କ୍ଲାଉଡ୍ କମ୍ପ୍ୟୁଟିଂ ଓ କୃତ୍ରିମ ବୁଦ୍ଧିମତ୍ତା (AI) ଭଳି ଆଧୁନିକ ଜ୍ଞାନକୌଶଳ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ। ଏଥିସହ SWAYAM, MOOCs, SAMS, HIMS ଓ ସ୍କଲାରସିପ୍ ପୋର୍ଟାଲ୍ ଭଳି ଡିଜିଟାଲ୍ ପ୍ଲାଟଫର୍ମ ସହ ଏହି ବ୍ୟବସ୍ଥାକୁ ସଂଯୋଗ କରାଯିବ।
ଏହି ଯୋଜନାରେ ୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ। ବିଶେଷକରି ଗ୍ରାମାଞ୍ଚଳ, ଦୁର୍ଗମ ଅଞ୍ଚଳ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ ଶିକ୍ଷାର ସୁଯୋଗ ପ୍ରଦାନ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ।
ଜାତୀୟ ଶିକ୍ଷାନୀତି (NEP) ୨୦୨୦ ଓ ଡିଜିଟାଲ୍ ଇଣ୍ଡିଆର ଲକ୍ଷ୍ୟକୁ ଆଗେଇ ନେବା ସହ ଏହି ଯୋଜନା ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଡିଜିଟାଲ୍ ବିପ୍ଳବ ଆଣିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।