*ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ*
ରାଉରକେଲା, ଅକ୍ଟୋବର ୨ : ସ୍ଥାନୀୟ ସେକ୍ଟର-୨୦ ସ୍ଥିତ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିଷ୍ଠାନର ଆବାହକ ଶ୍ରୀମତୀ ଭଗବତୀ ଜେନାଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ଗାନ୍ଧୀବାଦୀ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।
ସକାଳୁ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରୀ ଅନୁଷ୍ଠିତ ହୋଇଥିଲା। ପିଲାମାନେ ଗାନ୍ଧୀଜୀଙ୍କ ପ୍ରିୟ ଭଜନ "ରଘୁପତି ରାଘବ ରାଜାରାମ" ଗାନ କରି ସହର ପରିକ୍ରମା କରିଥିଲେ। ପରେ ପ୍ରତିଷ୍ଠାନ ପରିସରରେ ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ର ରେ ମାଲ୍ୟାର୍ପଣ ଓ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ସମାରୋହରେ ଅତିଥି ଭାବେ ପ୍ରଫେସର ରଘୁନାଥ ଦାଶ, ଡ. ସୁମନ ଦତ୍ତ, ବ୍ରଜେନ୍ଦ୍ର ଦାଶ, ନିରଞ୍ଜନ ପଟେଲ, ନିରୂପମ ପତି, ମଧୁସ୍ମିତା କେରକେଟ୍ଟା, ଗାନ୍ଧୀବାଦୀ ଡ. ସସ୍ମିତା ପ୍ରଧାନ, ଡ. ବସନ୍ତ ଦାସ, ଡ. ପ୍ରମୋଦ ଜଗଦେବ, ମଳୟ ପାଢ଼ୀ ଓ ସୌମିତ୍ର ମୁଦୁଲି ପ୍ରମୁଖ ମଞ୍ଚାସୀନ ଥିଲେ।
ବକ୍ତାମାନେ ଗାନ୍ଧୀଜୀଙ୍କ ଅହିଂସା, ସତ୍ୟାଗ୍ରହ ଓ ସ୍ୱଚ୍ଛତାର ଆଦର୍ଶ ବର୍ତ୍ତମାନ ସମାଜ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ମତ ଦେଇଥିଲେ। ପ୍ରଫେସର ରଘୁନାଥ ଦାଶ କହିଥିଲେ, ଗାନ୍ଧୀଙ୍କ ବିଚାର କେବଳ ଇତିହାସ ନୁହେଁ, ବରଂ ଭବିଷ୍ୟତ ପାଇଁ ମାର୍ଗଦର୍ଶନ। ଯୁବପିଢ଼ି ଗାନ୍ଧୀଙ୍କ ଆଦର୍ଶକୁ ଜୀବନରେ ଆପଣାଇଲେ ସମାଜରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ।
ଡ. ସୁମନ ଦତ୍ତ ଗାନ୍ଧୀଜୀଙ୍କ ଶିକ୍ଷା ଦର୍ଶନ ଉପରେ ଆଲୋକପାତ କରିଥିଲେ। ଡ. ସସ୍ମିତା ପ୍ରଧାନ ଗାନ୍ଧୀବାଦୀ ଆନ୍ଦୋଳନରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ କୁଇଜ୍ ପ୍ରତିଯୋଗିତାରେ ସଫଳ ହୋଇଥିବା ୧୮ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା।ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଗାନ୍ଧୀଜୀଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଆଗ୍ରହ ବୃଦ୍ଧି ପାଇଥିବା ଆୟୋଜକମାନେ କହିଛନ୍ତି।