ବୌଦ୍ଧରେ ‘ଆଶ୍ରୟ’ ସହାୟତାରେ ଅଜଣା ବୃଦ୍ଧଙ୍କୁ ମିଳିଲା ଆଶ୍ରୟ l
ମାନବିକତାର ଏକ ଉଦାହରଣ ସୃଷ୍ଟି କରି ବୌଦ୍ଧ ସହରରେ ଦୀର୍ଘଦିନ ଧରି ଅସହାୟ ଅବସ୍ଥାରେ ପଡ଼ିରହିଥିବା ଜଣେ ଅଜଣା ବୃଦ୍ଧଙ୍କୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଆଶ୍ରୟ SUH’ ପକ୍ଷରୁ ଉଦ୍ଧାର କରାଯାଇ ଆଶ୍ରୟ ଯୋଗାଇ ଦିଆଯାଇଛି।
ବରିଷ୍ଠ ସାମ୍ବାଦିକ ଶଶାଙ୍କ ଶେଖର ମିଶ୍ର ଓ ଧବଳେଶ୍ୱର ମହାପାତ୍ରଙ୍କ ସୂଚନାକ୍ରମେ ‘ଆଶ୍ରୟ' ପକ୍ଷରୁ ବୌଦ୍ଧଗଡ଼ ପୌରପରିଷଦ ସହଯୋଗରେ ପରିଚାଳିତ ଅସ୍ଥାୟୀ କେନ୍ଦ୍ରରେ ବୃଦ୍ଧଙ୍କୁ ରଖାଯାଇଛି। ସେ ପ୍ରାୟ ଦୁଇ ମାସ ଧରି ବୌଦ୍ଧ କଚେରୀ ପଡ଼ିଆର ମୁଖ୍ୟ ଫାଟକ ନିକଟରେ ଅତ୍ୟନ୍ତ ଦୟନୀୟ ଓ ମୁମୂର୍ଷୁ ଅବସ୍ଥାରେ ପଡ଼ିରହିଥିଲେ।
ଉଦ୍ଧାର ପରେ ବୃଦ୍ଧଙ୍କ ପରିଚୟ ମୁନେଶ୍ୱର ରାଜବଂଶୀ (୭୦), ଗ୍ରାମ–ରାମପୁର ଚାଏ, ଜିଲ୍ଲା–ଗୟା, ବିହାର ବୋଲି ଜଣାପଡ଼ିଛି। ତାଙ୍କୁ ଆଶ୍ରୟ କେନ୍ଦ୍ରରେ ରଖାଯାଇ ଖାଦ୍ୟ, ଚିକିତ୍ସା ଓ ଆବଶ୍ୟକୀୟ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଇଛି।
ବୃଦ୍ଧଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରି ତାଙ୍କୁ ନିଜ ଘରକୁ ସୁରକ୍ଷିତ ଭାବେ ପ୍ରତ୍ୟାବର୍ତ୍ତନ କରାଇବାର ବ୍ୟବସ୍ଥା କରାଯିବ ବୋଲି ‘ଆଶ୍ରୟ’ର ସମ୍ପାଦକ କୃପାସିନ୍ଧୁ ହୋତା ସୂଚନା ଦେଇଛନ୍ତି।
ଅସହାୟ ଓ ନିରାଶ୍ରୟ ବ୍ୟକ୍ତିଙ୍କ ପ୍ରତି ଏଭଳି ମାନବିକ ସହଯୋଗ ସମାଜରେ ସମ୍ବେଦନଶୀଳତା ଓ ସାମାଜିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।