#ନଦୀରେ_ଭାସିଗଲେ_୧୪_ବର୍ଷୀୟ_ନାବାଳକ_ଉଦ୍ଧାର_ପରେ_ମୃତଦେହ_ପରିବାରକୁ_ହସ୍ତାନ୍ତର!! #dinaratitv #TheCommonTimes
ଉମରକୋଟ, ୨୪/୦୯/୨୦୨୬: ଲଗାଣ ବର୍ଷାରେ ନଦୀର ଜଳସ୍ତର ବଢ଼ିଥିବା ବେଳେ ରାଇଘର ବ୍ଲକରେ ଘଟିଛି ଅଭାବନୀୟ ଘଟଣା। ମୁଣ୍ଡିବେଡା ପଞ୍ଚାୟତ ଅନ୍ତର୍ଗତ କପାଟପାଣି ଗାଁର ଲବ ସାନ୍ତାଙ୍କ ୧୪ ବର୍ଷୀୟ ପୁଅ ଜଗବନ୍ଧୁ ସାନ୍ତା ନିକଟସ୍ଥ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି।
ସୂଚନା ଅନୁଯାୟୀ, ବୁଧବାର ଦିନ ପ୍ରାୟ ୨ଟା ସମୟରେ ଜଗବନ୍ଧୁ ବାଇକ୍ ଯୋଗେ ଉମରକୋଟ ବ୍ଲକ ତୋହରା ପଞ୍ଚାୟତ ଅନ୍ତର୍ଗତ କଟଲଡିହି ଗାଁକୁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ଫେରିନଥିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ।
ଖୋଜାଖୋଜି ସମୟରେ କଟଲଡିହି ଗାଁ ନିକଟ ନଦୀକୂଳରେ ଜଗବନ୍ଧୁଙ୍କ ମୋବାଇଲ୍ ଫୋନ୍, ବାଇକ୍ ଓ ଚପଲ ମିଳିଥିଲା। ଏହାପରେ ସେ ନଦୀରେ ଭାସିଯାଇଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ଖୋଜାଖୋଜି ଜାରି ରଖିଥିଲେ।
ପରେ ନଦୀରେ ଜଗବନ୍ଧୁଙ୍କ ମୃତଦେହ ଭାସୁଥିବା ଦେଖି ଉମରକୋଟ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ହରିଶଙ୍କର ସୁନାନୀଙ୍କ ନେତୃତ୍ୱରେ ଅଗ୍ନିଶମ ବାହିନୀର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ରାତି ପ୍ରାୟ ୨ଟା ସମୟରେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇ ଉମରକୋଟ ମେଡିକାଲକୁ ନିଆଯାଇଥିଲା।
ପରେ ମେଡିକାଲରେ ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଅନ୍ୟପକ୍ଷରେ, ଗତ କିଛିଦିନ ଧରି ଉମରକୋଟ ଓ ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ଓ ନାଳରେ ଜଳସ୍ତର ବଢ଼ିଛି। ଅନେକ ସ୍ଥାନରେ ପ୍ରଖର ସ୍ରୋତ ମଧ୍ୟ ଦେଖାଦେଇଛି। ଏହି ପରିସ୍ଥିତିରେ ଜଗବନ୍ଧୁ ନଦୀରେ ଭାସିଯାଇଥିବା ଆଶଙ୍କା କରାଯାଉଛି।
ତେବେ ସେ କେଉଁ ପରିସ୍ଥିତିରେ ନଦୀରେ ପଡ଼ିଥିଲେ କିମ୍ବା ଭାସିଯାଇଥିଲେ, ତାହା ସ୍ପଷ୍ଟ ହୋଇନାହିଁ।