ଜୟପୁର ବିମାନବନ୍ଦର ସମ୍ପ୍ରସାରଣ ପାଇଁ ଜନଶୁଣାଣି
୨୪୪ ଏକର ଘରୋଇ ଜମି ଅଧିଗ୍ରହଣକୁ ନେଇ ହଜାର ହଜାର ଲୋକଙ୍କ ମତାମତ, କ୍ଷତିପୂରଣ ଓ ଜୀବିକାକୁ ନେଇ ଉଠିଲା ପ୍ରଶ୍ନ।
ଜୟପୁର ବିମାନବନ୍ଦରର ସମ୍ପ୍ରସାରଣ ଓ ଉନ୍ନତୀକରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଜୟପୁର ବିମାନବନ୍ଦରକୁ ବର୍ତ୍ତମାନର ୨-ବି ଶ୍ରେଣୀରୁ ୩-ସି ଶ୍ରେଣୀକୁ ଉନ୍ନୀତ କରିବା ନିମନ୍ତେ ଜୟପୁର ତହସିଲ ଅନ୍ତର୍ଗତ ଏକମ୍ବା, ବାଙ୍କବିଜା ଓ ସୌରାଗୁଡ଼ା ଗ୍ରାମରୁ ମୋଟ ୨୪୪.୦୨୨୮ ଏକର ଘରୋଇ ଜମି ଅଧିଗ୍ରହଣ ପ୍ରସ୍ତାବ ରହିଛି। ଏହି ଜମି ଅଧିଗ୍ରହଣ ସମ୍ପର୍କିତ ସାମାଜିକ ପ୍ରଭାବ ଆକଳନ ଅଧ୍ୟୟନର ଜନଶୁଣାଣି ବାଙ୍କବିଜା ପଡ଼ିଆଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ ହଜାର ହଜାର ସଂଖ୍ୟାରେ ପ୍ରଭାବିତ ଅଞ୍ଚଳର ଜମି ମାଲିକ ଓ ସ୍ଥାନୀୟ ଲୋକ ଯୋଗଦେଇ ନିଜ ନିଜର ମତାମତ ଓ ସମସ୍ୟା ପ୍ରଶାସନ ସମ୍ମୁଖରେ ରଖିଥିଲେ। ଜୟପୁର ଉପଜିଲ୍ଲାପାଳ ଶ୍ରୀମତୀ ଶୁଭ୍ରା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନଶୁଣାଣିରେ ତହସିଲଦାର ସବ୍ୟସାଚୀ ଜେନା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, ରାଜସ୍ୱ ନିରୀକ୍ଷକ, ସ୍ଥାନୀୟ ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମଞ୍ଚାସୀନ ଥିଲେ। ଜମି ଅଧିଗ୍ରହଣ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଚାଷୀ, ଜମି ମାଲିକ ଓ ସ୍ଥାନୀୟ ବାସିନ୍ଦାମାନେ ନିଜ ନିଜର ମତ ରଖିବା ସହ ଜମି ଅଧିଗ୍ରହଣ ଯୋଗୁଁ ସେମାନଙ୍କ ଜୀବିକା, ଆର୍ଥିକ ସ୍ଥିତି ଓ ବାସସ୍ଥାନ ଉପରେ ପଡ଼ିବାକୁ ଥିବା ପ୍ରଭାବ ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇଥିଲେ। ବିଶେଷକରି ଜମିର ଉଚିତ ମୂଲ୍ୟ, କ୍ଷତିପୂରଣ ଓ ଜମି ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ପରିବାରଙ୍କ ଭବିଷ୍ୟତକୁ ନେଇ ଲୋକମାନେ ନିଜର ମତାମତ ରଖିଥିଲେ।ପ୍ରଶାସନ ପକ୍ଷରୁ ମଧ୍ୟ ଉପସ୍ଥିତ ଲୋକଙ୍କ ଅଭିଯୋଗ, ପ୍ରସ୍ତାବ ଓ ମତାମତକୁ ଗ୍ରହଣ କରାଯାଇଥିଲା। ସମସ୍ତ ଦିଗକୁ ତର୍ଜମା କରିବା ପରେ ପ୍ରଭାବିତ ଲୋକଙ୍କ ସମସ୍ୟାର ସମାଧାନ ଓ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀମତୀ ପଣ୍ଡା କହିଥିଲେ। ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତ ପରିବାରଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିର ଆକଳନ କରିବା ସହ କ୍ଷତିପୂରଣ, ପୁନର୍ବାସ ଓ ଜୀବିକା ପୁନଃସ୍ଥାପନ ସମ୍ପର୍କିତ ପଦକ୍ଷେପ ନିର୍ଦ୍ଧାରଣ କରିବା ଏହି ଅଧ୍ୟୟନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି।ସୂଚନାଯୋଗ୍ୟ ଯେ, ଜୟପୁର ବିମାନବନ୍ଦର ୧୯୬୨ ମସିହାରେ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ଏହାର ରନୱେର ଲମ୍ବ ପ୍ରାୟ ୧୨୦୦ ମିଟର ଓ ପ୍ରସ୍ଥ ୩୦ ମିଟର ରହିଛି। ଏହି ବିମାନବନ୍ଦରରୁ ଜୟପୁର ସହ ଭୁବନେଶ୍ୱର ଓ ବିଶାଖାପାଟଣାକୁ ବିମାନ ଯୋଗାଯୋଗ ରହିଛି।ତେବେ ବର୍ତ୍ତମାନର ବିମାନବନ୍ଦରର ଭିତ୍ତିଭୂମି ଓ ରନୱେର ସୀମିତ କ୍ଷମତା ଯୋଗୁଁ ବଡ଼ ବିମାନର ଚଳାଚଳ ଏବଂ ଅଧିକ ବାଣିଜ୍ୟିକ ବିମାନ ସେବା ପ୍ରଦାନରେ ସମସ୍ୟା ରହିଛି।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିମାନବନ୍ଦରକୁ ୩-ସି ଶ୍ରେଣୀକୁ ଉନ୍ନୀତ କରିବା ପାଇଁ ଯୋଜନା କରିଛନ୍ତି।
ପ୍ରସ୍ତାବିତ ସମ୍ପ୍ରସାରଣ ଦ୍ୱାରା ବିମାନବନ୍ଦରର ରନୱେ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ହେବା ସହ କୋରାପୁଟ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ବିମାନ ଯୋଗାଯୋଗରେ ଉନ୍ନତି ଆସିବା ଆଶା କରାଯାଉଛି ।ଏହାଦ୍ୱାରା ପର୍ଯ୍ୟଟନ, ବାଣିଜ୍ୟ, ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଶିଳ୍ପ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରିବ। ତେବେ ଏହି ବିକାଶମୂଳକ ପ୍ରକଳ୍ପରେ ଜମି ହରାଇବାକୁ ଥିବା ପରିବାରଙ୍କ ସ୍ୱାର୍ଥ, ଉଚିତ କ୍ଷତିପୂରଣ ଓ ଜୀବିକା ସୁରକ୍ଷା ନିଶ୍ଚିତ କରିବା ପ୍ରଶାସନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହୋଇରହିଛି।