ମଦମୁକ୍ତ ଜୟପୁର ଦାବିରେ କଂଗ୍ରେସର ବିଶାଳ ଆନ୍ଦୋଳନ, ସାମିଲ ହେଲେ ହଜାରେରୁ ଊର୍ଦ୍ଧ୍ୱ ମହିଳା
ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀକୁ ସମ୍ପୂର୍ଣ୍ଣ ମଦମୁକ୍ତ କରିବା ଦାବିରେ ଜୟପୁର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଆଜି ଏକ ବିଶାଳ ମଦ ବିରୋଧୀ ଆନ୍ଦୋଳନ ଆୟୋଜିତ ହୋଇଥିଲା। ଏଥିରେ ଜୟପୁର ବ୍ଲକ୍ର ହଜାରେରୁ ଊର୍ଦ୍ଧ୍ୱ ମହିଳାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ସାମିଲ ହୋଇ ମଦ ବିରୋଧରେ ନିଜର ଦୃଢ଼ ପ୍ରତିବାଦ ଜଣାଇଥିଲେ। ମଦମୁକ୍ତ ଜୟପୁର ଗଠନ ଦାବିରେ ଆନ୍ଦୋଳନକାରୀମାନେ ଏକଜୁଟ ହୋଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।ଏହି ଆନ୍ଦୋଳନରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ରାଜ୍ୟ କଂଗ୍ରେସ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନଳିନୀ ରଥ ଏବଂ ଜୟପୁର ବ୍ଲକ୍ କଂଗ୍ରେସ ସଭାପତି ବସନ୍ତ ନାୟକଙ୍କ ସମେତ ଅନେକ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ। ମଦ୍ୟପାନ ଯୋଗୁଁ ଅନେକ ପରିବାରରେ ଆର୍ଥିକ ଅନଟନ, ପାରିବାରିକ ଅଶାନ୍ତି, ଘରୋଇ ହିଂସା ଓ ବିଭିନ୍ନ ସାମାଜିକ ସମସ୍ୟା ଦେଖାଦେଉଥିବା ଦର୍ଶାଇ କଂଗ୍ରେସ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଥିଲା।ବିଶେଷକରି ମଦର କୁପ୍ରଭାବରେ ମହିଳା ଓ ଶିଶୁମାନେ ଅଧିକ ପ୍ରଭାବିତ ହେଉଥିବାରୁ ମଦ କାରବାର ଉପରେ ରୋକ୍ ଲଗାଇବାକୁ ଦାବି ଉଠିଥିଲା।ଜୟପୁର ସହର ସମେତ ଗ୍ରାମାଞ୍ଚଳରେ ଦେଶୀ, ବିଦେଶୀ ଓ ବିହାରୀ ମଦ ସମେତ ସମସ୍ତ ପ୍ରକାର ବେଆଇନ ମଦର ଉତ୍ପାଦନ, ପରିବହନ ଓ ବିକ୍ରୟ ବନ୍ଦ କରିବା ସହ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଥିଲେ।ଏହି ଅବସରରେ ବ୍ଲକ୍ କଂଗ୍ରେସ ସଭାପତି ବସନ୍ତ ନାୟକଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜୟପୁର ଉପଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।ଏଥିରେ ମଦମୁକ୍ତ ଜୟପୁର ପାଇଁ ସରକାରଙ୍କ ସ୍ପଷ୍ଟ ନୀତି ପ୍ରଣୟନ, ବେଆଇନ ମଦ କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ, ମଦ ବିରୋଧୀ ଜନଜାଗରଣ ଏବଂ ନିଶାମୁକ୍ତି କେନ୍ଦ୍ର ସ୍ଥାପନ ଭଳି ଦାବି ଉଲ୍ଲେଖ କରାଯାଇଛି।ଜୟପୁରକୁ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜରେ ପରିଣତ କରିବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଇଛି।