୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ପଞ୍ଝାରେ ମାଥିଲି ଜେଏମ୍ଏଫ୍ସି କୋର୍ଟର ବରିଷ୍ଠ କିରାଣି ଅଚ୍ୟୁତ କୁମାର ପ୍ରଧାନ।
ଦୁଇଟି ଜାମିନ ବିହୀନ ଗିରଫ ପରୱାନା (NBW) ମାମଲାରେ ରିଲିଫ୍ ଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଇ ମାଲକାନଗିରି ଜିଲ୍ଲା ମାଥିଲିସ୍ଥିତ ଜେଏମ୍ଏଫ୍ସି କୋର୍ଟର ବରିଷ୍ଠ କିରାଣି ଅଚ୍ୟୁତ କୁମାର ପ୍ରଧାନ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କ ସମ୍ପର୍କୀୟଙ୍କ ବିରୋଧରେ ଦୁଇଟି ମାମଲାରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା। ଏହି ମାମଲାରେ ରିଲିଫ୍ ଦେବା ପାଇଁ ବରିଷ୍ଠ କିରାଣି ଅଚ୍ୟୁତ କୁମାର ପ୍ରଧାନ ୫୦ ହଜାର ଟଙ୍କା ଦାବି କରିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ଟଙ୍କା ଦେବାରେ ଅସମର୍ଥ ହୋଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ଏହାପରେ ଯୋଜନା ଅନୁଯାୟୀ ଗୁରୁବାର ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା। ଅଭିଯୋଗକାରୀଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଅଚ୍ୟୁତ କୁମାର ପ୍ରଧାନଙ୍କୁ ଭିଜିଲାନ୍ସ ଅଧିକାରୀମାନେ କାବୁ କରିଥିଲେ। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ୫୦ ହଜାର ଟଙ୍କା ଜବତ କରାଯାଇଛି।
ଟ୍ରାପ୍ ପରେ ଆୟବହିର୍ଭୂତ ସମ୍ପତ୍ତି (DA) ସମ୍ପର୍କିତ ଯାଞ୍ଚ ପାଇଁ ଅଚ୍ୟୁତଙ୍କ ବାସଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ତଲାସୀ ଜାରି ରହିଛି। ଏନେଇ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନଂ-୨୦/୨୦୨୬ ରୁଜୁ ହୋଇ ପିସି ଆକ୍ଟ-୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଚ୍ୟୁତ କୁମାର ପ୍ରଧାନଙ୍କ ବିରୋଧରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି।