ଢେ଼ଙ୍କାନାଳର ବିଶ୍ଵପ୍ରସିଦ୍ଧ ଏହି ଯୋରନ୍ଦା ଗାଦିରେ ରହିଛି ମହିମା ଗୋସେଇଁଙ୍କ ସମାଧି ମନ୍ଦିର । ସତ୍ୟ ମହିମା ଧର୍ମ ଓଡ଼ିଶାର ମୌଳିକ ଧର୍ମ ଭାବେ ପରିଚିତ #ଯୋରନ୍ଦା_ଗାଦିରେ_ପ୍ରଭୁ_ମହିମା_ଗୋସେଇଁଙ୍କ_ସମାଧି_ମନ୍ଦିର
ଢେ଼ଙ୍କାନାଳ ସଦର : ଢେ଼ଙ୍କାନାଳର ବିଶ୍ଵପ୍ରସିଦ୍ଧ ଏହି ଯୋରନ୍ଦା ଗାଦିରେ ରହିଛି ମହିମା ଗୋସେଇଁଙ୍କ ସମାଧି ମନ୍ଦିର । ସତ୍ୟ ମହିମା ଧର୍ମ ଓଡ଼ିଶାର ମୌଳିକ ଧର୍ମ ଭାବେ ପରିଚିତ । ଉନ୍ନବିଂଶ ଶତକରେ ପ୍ରଥମ ଭାଗରେ ଏହି ଧର୍ମକୁ ପ୍ରତିଷ୍ଠା କରିଥିଲେ ମହିମା ଗୋସାଇଁ । ଯେତେବେଳେ ସାଧାରଣ ମଣିଷ ବହୁ କଷ୍ଟ,ଦୁଃଖ,ଯନ୍ତ୍ରଣାରେ ଛନ୍ଦି ହେଉଥିଲା ଅନ୍ଧ ବିଶ୍ବାସ,କୁସଂସ୍କାର ଜଗତକୁ ଭରାକ୍ରାନ୍ତ କରୁଥିଲା ଠିକ୍ ସେତିକି ବେଳେ ଏହି ଧର୍ମର ଉତ୍ପତ୍ତି ହୋଇଥିଲା। ଏହି ଧର୍ମ ସାଧାରଣ ମଣିଷକୁ ଦେଖାଇଲା ମୁକ୍ତିର ବାଟ । ପ୍ରଥମେ ଧୂଳିଆବାବା ନାମରେ ଶ୍ରୀକ୍ଷେତ୍ର ପୁରୀରେ ୧୮୨୬ ମସିହାରେ ଆବିର୍ଭାବ ହୋଇଥିଲେ ମହିମା ସ୍ଵାମୀ। ଏହା ପରେ ଖଣ୍ଡଗିରି ଓ ୧୮୩୮ ମସିହାରୁ ଢେ଼ଙ୍କାନାଳର କପିଳାସ ପର୍ବତରେ ୨୪ ବର୍ଷ କାଳ ଅବସାନ କରିଥିଲେ । ୧୨ ବର୍ଷ କାଳ ଫଳହାର ଗୋସେଇଁ ଓ କ୍ଷୀର ଆହାରୀ ଗୋସେଇଁ ଭାବେ ମହିମା ସ୍ଵାମୀ ପରିଚିତ ଥିଲେ। ଏହା ପରେ ଖଣ୍ଡଗିରି,କପିଳାସର ତପୋବନରେ ଯୋଗସାଧନ,ଆତ୍ମାଯୋଗରେ ସିଦ୍ଧିଲାଭ କରି ଗୋବିନ୍ଦ ବାବା ଓ ସନ୍ଥକବି ଭୀମଭୋଇଙ୍କୁ ଦୀକ୍ଷାଦାନ କରିଛନ୍ତି। ୧୮୬୨ ମସିହାରେ ଚାଲିଥିଲା ମହାନିତ୍ୟ ଖେଳ । ଢେ଼ଙ୍କାନାଳସ୍ଥିତ ଯୋରନ୍ଦା ଗ୍ରାମରେ ପ୍ରତିଷ୍ଠା କରିଥିଲେ ମହିମାଗାଦି । ମହିମା ଧର୍ମର ଆଦିଗୁରୁ,ଶୂନ୍ୟଦେହୀ,୧୮୭୬ ମସିହା ଫାଲଗୁନ ଶୁକ୍ଲଚତୁର୍ଦ୍ଦଶୀରେ ଯୋରନ୍ଦା ଟୁଙ୍ଗୀରେ ମହାନିତ୍ୟ ଖେଳସାରି ସେ ଶୁନ୍ୟରେ ଲୀନ ହୋଇଥିଲେ । ମହିମା ଧର୍ମର ପ୍ରତିଷ୍ଠାତା ଥିଲେ ମହିମା ଗୋସେଇଁ । ସନ୍ଥକବି ଭୀମଭୋଇଙ୍କ ମତରେ ମହିମା ସ୍ଵାମୀ ହେଉଛନ୍ତି ମୂଳଧାରା, ସେ ସୃଷ୍ଟିର ସ୍ରଷ୍ଟା ନିଜ ଇଚ୍ଛାରେ ମର୍ତ୍ତ୍ୟମଣ୍ଡଳରେ ସେ ଧରାବତରଣ କରନ୍ତି।ଖଣ୍ଡଗିରି,ଅନ୍ଧାରୁଆ,ପଟିଆ,ଡ଼ମଣା,ଦାରୁଠେଙ୍ଗ ଆଦି ବିଭିନ୍ନ ସ୍ଥାନରେ ଅଲେଖ ଟୁଙ୍ଗୀ ମାନ ପ୍ରତିଷ୍ଠା କରି ସାରା ଜଗତର ମଙ୍ଗଳ କାମନା କରିଛନ୍ତି। ଯୋରନ୍ଦା ମହିମା ଗାଦିରେ ମାଘ ମେଳା ଯୋରନ୍ଦା ଗାଦି ମହିମା ଧର୍ମର ମହାନିତ୍ୟ ପୁର ଭାବେ ପରିଚିତ । ଏହି ଗାଦିର ପ୍ରତିଷ୍ଠାତା ଥିଲେ ମହିମା ଗୋସେଇଁ । ଏଥିପାଇଁ ଢେ଼ଙ୍କାନାଳର ରାଜା ଭାଗିରଥି ଭ୍ରମରବର ମହେନ୍ଦ୍ରବାହାଦୁର ଦେଇଥିଲେ ୫କୋଶ ପରିମିତ ଜାଗା। ଏଠାରେ ସେ ମହିମା ଧର୍ମର ଶିଷ୍ୟ ମାନଙ୍କୁ ଦୀକ୍ଷିତ କରାଇଲେ। ମହିମାସ୍ଵାମୀ ସମଗ୍ର ଜୀବନ ଥିଲା ଯୋଗ ସାଧନ । ଯୋଗ ସାଧନ ସହ ଧର୍ମ ପ୍ରଚାର କରି ୧୮୭୬ ମସିହାରେ ସେ ମହିମା ଆଶ୍ରମରେ ସେ ସମାଧି ହୋଇ ଇହଧାମ ତ୍ୟାଗ କରିଥିଲେ।