#କୋରାପୁଟ_ନନ୍ଦପୁର_ସଡକ_ଦର୍ଘଟଣା,
ସ୍କୁଟି ଓ ଆପାଚି ବାଇକ୍ ମୁହାଁମୁହିଁ ଧକ୍କା, ୩ ଗୁରୁତର,5
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଥୁବା ପଞ୍ଚାୟତ ଅନ୍ତର୍ଗତ କମାରଗୁଡ଼ା ନିକଟରେ ସ୍କୁଟି ଓ ଆପାଚି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଗୁରୁତର ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ, ଖୁର୍ଜୀ ପଞ୍ଚାୟତ ଅନ୍ତର୍ଗତ ଅଅଁଳାଘାଟି ଗ୍ରାମର ପ୍ରଦୀପ ମୁଦୁଲି (୨୨) ଓ ତାଙ୍କ ସମ୍ପର୍କୀୟ ଭାଇ ସୁରେଶ ମୁଦୁଲି (୨୫) ଏକ ଆପାଚି ବାଇକ୍ରେ କୌଣସି କାମ ସାରି ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ନନ୍ଦପୁର ପଟୁ ଥୁବା ଅଭିମୁଖେ ଯାଉଥିବା ଏକ ସ୍କୁଟି ସହ କମାରଗୁଡ଼ା ନିକଟରେ ତାଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା।ସ୍କୁଟି ଚାଳକ ସୁନାଧର ଗୌଡ଼ (୨୫) ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳର ସମ୍ବାଇ ଗ୍ରାମର ବୋଲି ଜଣାପଡ଼ିଛି। ସେ ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମସ୍ଥିତ ନିଜ ଶ୍ୱଶୁର ଘରକୁ ଆସିଥିଲେ। ନନ୍ଦପୁର ବୁଲି ସାରି ଖୁଜେଲ ଗ୍ରାମକୁ ଫେରୁଥିବା ବେଳେ ଥୁବା ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି।ଦୁର୍ଘଟଣା ଖବର ପାଇ ନନ୍ଦପୁର ଅଗ୍ନିଶମ ବିଭାଗ କେନ୍ଦ୍ରାଧିକାରୀ ହେମନ୍ତ କୁମାର ସାମଲଙ୍କ ନେତୃତ୍ୱରେ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୩ ଆହତଙ୍କୁ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି। ବର୍ତ୍ତମାନ ୩ ଜଣ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।