#ମିସ୍_ଟିନ୍_ଇଣ୍ଡିଆ–୨୦୨୬ ମୁକୁଟ ହାତେଇଲେ ପଦ୍ମପୁରର ଆକାଂକ୍ଷା
୪୫ ପ୍ରତିଯୋଗୀଙ୍କୁ ପଛରେ ପକାଇ ହାସଲ କଲେ ଶ୍ରେଷ୍ଠ ମୁକୁଟ, ବରଗଡ଼ ଜିଲ୍ଲା ପାଇଁ ଆଣିଲେ ଗୌରବ
ପଦ୍ମପୁର : ଜାତୀୟ ସ୍ତରରେ ଚମକିଲେ ପଶ୍ଚିମ ଓଡ଼ିଶାର ଝିଅ। ସମ୍ମାନଜନକ ‘ମିସ୍ ଟିନ୍ ଇଣ୍ଡିଆ–୨୦୨୬’ ଟାଇଟଲ୍ ହାସଲ କରି ପଦ୍ମପୁର ସମେତ ସମଗ୍ର ବରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଆକାଂକ୍ଷା ଆକୃତି ବାରିକ। ତାଙ୍କର ଏହି ଉଲ୍ଲେଖନୀୟ ସଫଳତାରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ପଦ୍ମପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଷଷ୍ଠ ଶ୍ରେଣୀର ଛାତ୍ରୀ ଆକାଂକ୍ଷା ୪୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ନିଜର ପ୍ରତିଭା ଓ ଦକ୍ଷତା ବଳରେ ଶ୍ରେଷ୍ଠ ବିବେଚିତ ହୋଇ ଏହି ଟାଇଟଲ୍ ହାସଲ କରିଛନ୍ତି। ଅଳ୍ପ ବୟସରେ ଜାତୀୟସ୍ତରର ଏହି ସଫଳତା ହାସଲ କରି ସେ ନିଜ ପରିବାର, ବିଦ୍ୟାଳୟ ଓ ଜନ୍ମମାଟି ପଦ୍ମପୁରର ଗୌରବ ବୃଦ୍ଧି କରିଛନ୍ତି।
ଏକ ଛୋଟ ସହରରୁ ନିଜର ଯାତ୍ରା ଆରମ୍ଭ କରି ଜାତୀୟ ମଞ୍ଚରେ ସଫଳତାର ମୁକୁଟ ପିନ୍ଧିବା ଆକାଂକ୍ଷାଙ୍କ ଏହି ସଫଳତା ଅନ୍ୟ ଯୁବ ପ୍ରତିଭାଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ। ପ୍ରତିଭା, ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ ଛୋଟ ସହରରୁ ମଧ୍ୟ ଜାତୀୟସ୍ତରରେ ନିଜର ପରିଚୟ ସୃଷ୍ଟି କରିହୁଏ ବୋଲି ତାଙ୍କର ଏହି କୃତିତ୍ୱ ପ୍ରମାଣିତ କରିଛି।
ଆକାଂକ୍ଷାଙ୍କ ଏହି ସଫଳତାରେ ତାଙ୍କ ପିତା ଧରଣୀଧର ବାରିକ ଓ ମାତା ରଶ୍ମିତା ବାରିକଙ୍କ ସମେତ ପରିବାରବର୍ଗ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ସହପାଠୀ ଓ ପଦ୍ମପୁରବାସୀ ଆନନ୍ଦ ପ୍ରକାଶ କରିଛନ୍ତି। ଆକାଂକ୍ଷାଙ୍କ ଏହି ସଫଳତା ଆଗାମୀ ଦିନରେ ଅଞ୍ଚଳର ଅନେକ ନୂତନ ପ୍ରତିଭାଙ୍କୁ ନିଜ ସ୍ୱପ୍ନ ପୂରଣ ପାଇଁ ଉତ୍ସାହିତ କରିବ ବୋଲି ଆଶା ପ୍ରକାଶ ପାଇଛି।