#ପେଟିଏମ କରାଇବା ବାହାନାରେ ମହିଳାଙ୍କ ଠାରୁ ଠକି ନେଲେ ୯୦ ହଜାର
୧୯/୦୮/୨୬
ପେଟିଏମ କରାଇବାର ବାହାନାରେ ମୋରଡା ବ୍ଲକ ତଥା ବଡଜାମଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଛକ ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ବରେ ଚା’ଦୋକାନ କରିଥିବା ଜନୈକା ଅସହାୟ ବିଧବା ମହିଳାଙ୍କ ଆକାଉଣ୍ଟରୁ ଚଞ୍ଚକତା କରି ୯୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ଚଳୁ କରିବାପରେ ଠକାମୀର ଶୀକାର ଅସହାୟ ମହିଳାଙ୍କ ଶାଶୂଙ୍କ ଆକାଉଣ୍ଟ ନମ୍ବରରେ ମଧ୍ୟ ପେ-ଟିଏମ ଖୋଲିବାକୁ ପୁନର୍ବାର ଆସିଥିବା ଦୁଇଜଣ ଆନ୍ତଃଜିଲ୍ଲା ଠକଙ୍କୁ କାବୁକରି ଉତ୍ତମ ମଧ୍ୟମ ଦେବାପରେ ପୁଲିସର ଜିମା ଦେଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ଦାନ୍ତିଆମୁହାଁ ଛକରେ ସ୍ୱର୍ଗତ ବିକାଶ ପାତ୍ରଙ୍କ ସ୍ତ୍ରୀ ଚାନ୍ଦିନୀ ପାତ୍ର ନିଜର ଶାଶୂ,ଶ୍ଵଶୂରଙ୍କ ସହିତ ଚା’ ଦୋକାନ କରି ପରିବାର ଗୁଜୁରାଣ କରୁଥିଲେ। ତେବେ ବାଲେଶ୍ଵର ସହର ୧୨ନମ୍ବର ୱାର୍ଡ ଦାମୋଦରପୁର ଅଞ୍ଚଳର କୃଷ୍ଣଚନ୍ଦ୍ର ସେଠୀଙ୍କ ପୁଅ ଦେବୀପ୍ରସାଦ ସେଠୀ(୨୩) ଏବଂ ସେହି ବାଲେଶ୍ଵର ସହର ଗୋଳାପୋଖରୀ ଅଞ୍ଚଳର ଶେଖ ଇମ୍ରାନଙ୍କ ପୁଅ ଶେଖ ଆୟାନ (୧୮)କିଛିଦିନ ପୂର୍ବରୁ ଦାନ୍ତିଆମୁହାଁ ଛକସ୍ଥିତ ଚାନ୍ଦିନୀ ପାତ୍ରଙ୍କ ଦୋକାନକୁ ଚା’ପିଇବାକୁ ଯାଇଥିଲେ।ଚଳିତମାସ ୧୩ତାରିଖରେ ଦେବୀପ୍ରସାଦ ନିଜକୁ ପେ-ଟିଏମ ସଂସ୍ଥାର ସେଲ୍ସ ଏକଜିକ୍ୟୁଟିଭ ବୋଲି ପରିଚୟ ଦେଇ ଚାନ୍ଦିନୀ ପାତ୍ରଙ୍କ ନାମରେ ପେ-ଟିଏମ ଖୋଲିଦେବାର ପ୍ରତିଶୃତି ମଧ୍ୟ ଦେଇଥିଲେ।ଚାନ୍ଦିନୀ ପାତ୍ର ବିଶ୍ଵାସରେ ନିଜର ଦାନ୍ତିଆମୁହାଁ ସ୍ଥିତ ଓଡିଶା ଗ୍ରାମ୍ୟବ୍ୟାଙ୍କର ଆକାଉଣ୍ଟନମ୍ବର ଏବଂ ଆଧାରକାର୍ଡ ଦେବାସହିତ ମୋବାଇଲକୁ ଆସିଥିବା ଓଟିପି ମଧ୍ୟ ଦେଇଥିଲେ।ଏହାପରେ ଦେବୀପ୍ରସାଦ ଚାନ୍ଦିନୀ ପାତ୍ରଙ୍କ ନାମରେ ପେ-ଟିଏମ ମଧ୍ୟ ଖୋଲିଦେଇଥିଲେ।ତେବେ ଚଳିତମାସ ୧୪ତାରିଖରେ ୫ହଜାର ଟଙ୍କା,୧୫ ତାରିଖରେ ୩୦ହଜାର ଟଙ୍କା,୧୭ ତାରିଖରେ ୫୫ହଜାର ଟଙ୍କା ଏବଂ ୧୮ ତାରିଖରେ ଶହେ ଏକଟଙ୍କା ଲେଖାଏଁକରି ଦୁଇଥରରେ ୨ଅଶହ ୨ଟଙ୍କା ଏହିପରି ସର୍ବମୋଟ ୫ଥରରେ ୯୦ହଜାର ୨ଶହ ୨ଟଙ୍କା ଚାନ୍ଦିନୀ ପାତ୍ରଙ୍କ ଆକାଉଣ୍ଟରୁ ଅନଲାଇନ ମାଧ୍ୟମରେ ଟଙ୍କା ଉଠାଇଥିଲେ। ଯେତେବେଳେ ଚାନ୍ଦିନୀ ପାତ୍ରଙ୍କ ମନରେ ସନ୍ଦେହଜାତ ହେଲା ସେତେବେଳେ ସେ ଚତୁରତାର ସହ ନିଜର ଶାଶୂଙ୍କ ନାମରେ ଆଉଏକ ପେ-ଟିଏମ ଖୋଲିବେ ବୋଲି କହିବାପରେ ଦେବୀପ୍ରସାଦ ନିଜର ସହଯୋଗୀ ସହିତ ମଙ୍ଗଳବାର ଅପରାହ୍ନରେ ପୁନର୍ବାର ଚାନ୍ଦିନୀ ପାତ୍ରଙ୍କ ଚା’ଦୋକାନରେ ଆସି ପହଞ୍ଚିଥିଲେ।ଏହାପରେ ଚାନ୍ଦିନୀ ଆଖପାଖ ଦୋକାନୀମାନଙ୍କୁ ଡାକିବାପରେ ପାଟିତୁଣ୍ଡ ଶୁଣି ଆଖପାଖରୁ ଲୋକମାନେ ରୁଣ୍ଡ ହେବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ବଡଜାମବଣି ଫାଣ୍ଡି ଅଧିକାରୀ ଏଏସଆଇ ଭାବଗ୍ରାହୀ ମହାନ୍ତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଦୁଇ ଠକ ଯୁବକଙ୍କୁ ଠକିନେଇଥିବା ୯୦ହଜାର ଟଙ୍କା ଫେରସ୍ତ ନଦେବା ପର୍ଯ୍ୟନ୍ତ ପୁଲିସକୁ ହସ୍ତାନ୍ତର କରିବେ ନାହିଁ ବୋଲି କହିବାପରେ ଉତ୍ତେଜନା ଅଧିକ ବଢିଥିଲା।ଏହାପରେ ଉତ୍ତେଜିତ ଲୋକଙ୍କୁ ବୁଝାସୁଝାକରି ଫାଣ୍ଡି ଅଧୂକାରୀ ଏଏସଆଇ ଭାବଗ୍ରାହୀ ମହାନ୍ତ ଦୁଇ ଯୁବକଙ୍କୁ ଫାଣ୍ଡିକୁ ଆଣି ପଚରା ଉଚରା କରିଥିଲେ। ଦେବୀପ୍ରସାଦଙ୍କ ବାପା କୃଷ୍ଣଚନ୍ଦ୍ର ସେଠୀ ବାଲେଶ୍ଵର ଟାଉନଥାନା ଅଧୀନ ପରମିଟ ଘାଟ ଫାଣ୍ଡିରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ପୁଲିସ ପାଖରେ ସୂଚନା ଦେଇଛି।ପରେ ପୁଲିସର ମଧ୍ୟସ୍ଥତାରେ ଦୁଇ ଠକ ଚାନ୍ଦିନୀ ଙ୍କ ସମସ୍ତ ଟଙ୍କା ଫେରସ୍ତ କରିଥିବା ବେଳେ ଏନେଇ କୌଣସି ଲିଖିତ ଅଭିଯୋଗ କରିନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।।।।।
#mayurbhanj #baripada