କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରୟାସ ବିଫଳ! ତାରାଙ୍କ ସାଂଘାତିକ ଅଭିଯୋଗ
କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ସରକାର ନିର୍ବାଚନ କରାଇବାରେ ବିଫଳ ହୋଇଥିବା ନେଇ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ମତବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି, କୋଟିଆର ଅଧିକାଂଶ ଲୋକ ଆନ୍ଧ୍ରକୁ ଭୋଟ ଦେବାକୁ ଚାହୁଁନଥିବା ସତ୍ତ୍ୱେ ଆନ୍ଧ୍ର ସରକାର ମାତ୍ର ୨ ପ୍ରତିଶତ ଭୋଟରଙ୍କୁ ଜୋରଜବରଦସ୍ତ ଉଠାଇ ନେଇ ମତଦାନ କରାଇଛନ୍ତି। ଏହାସହ ଅଧିକ ସଂଖ୍ୟାରେ ମତଦାନ ହୋଇଥିବା ନେଇ ମିଥ୍ୟା ପ୍ରଚାର କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ, କୋଟିଆ ଗ୍ରାମପୁଞ୍ଜରେ ନିର୍ବାଚନ କରାଇବାରେ ବିଫଳ ହେବା ପରେ ନିରୀହ ଆଦିବାସୀଙ୍କ ନକଲି ଭୋଟର ପରିଚୟପତ୍ର ବ୍ୟବହାର କରି ମତଦାନ କରାଯାଇଥିବା ନେଇ ମଧ୍ୟ ତାରାପ୍ରସାଦ ବାହିନୀପତି ଅଭିଯୋଗ ଆଣିଛନ୍ତି।
କୋଟିଆରେ ଆନ୍ଧ୍ରର ନିର୍ବାଚନ ଓ ମତଦାନକୁ ନେଇ ବିଧାୟକଙ୍କ ଏହି ବୟାନ ଏବେ ରାଜନୈତିକ ମହଲରେ ଚର୍ଚ୍ଚାକୁ ଜୋରଦାର କରିଛି।