#ଯାଜପୁରରେ_କାଳୀପୂଜା_ଓ_ଲକ୍ଷ୍ମୀନାରାୟଣ_ପୂଜା_ପାଇଁ_ଦ୍ୱିତୀୟ_ପ୍ରସ୍ତୁତି_ବୈଠକ
ଯାଜପୁର ଜିଲ୍ଲାର ଗଣପର୍ବ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜାକୁ ଶାନ୍ତିଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ନିମନ୍ତେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶିତିକଣ୍ଠ କାନୁନଗୋ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ କୁମାର ମାଝୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ପୂଜା କମିଟିର କର୍ମକର୍ତ୍ତା, ଶାନ୍ତି କମିଟିର ସଦସ୍ୟ ଯୋଗଦେଇଥିଲେ। ଚଳିତ ବର୍ଷ ପୂଜା ଓ ଭସାଣି ଉତ୍ସବକୁ ଶାନ୍ତି, ମୈତ୍ରୀ, ସଦ୍ଭାବନା ଓ ଭାଇଚାରାର ପରିବେଶରେ ସମାପନ କରିବା ପାଇଁ ସମସ୍ତ ପୂଜା କମିଟିର କର୍ମକର୍ତ୍ତାଙ୍କ ସହଯୋଗ କାମନା କରାଯାଇଥିଲା । ସହରର ମୁଖ୍ୟ ରାସ୍ତା, ପୂଜା ମଣ୍ଡପ ଓ ପାର୍କିଂ ସ୍ଥଳରେ ପର୍ଯ୍ୟାପ୍ତ ପୁଲିସ ଫୋର୍ସ ନିୟୋଜନ କରାଯିବ। ଯାତାୟାତ ବ୍ୟବସ୍ଥାକୁ ସୁଗମ ରଖିବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ରୁଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି। ସୁନା ଓ ଚାନ୍ଦି ମେଢ଼ ସମେତ ଅନ୍ୟାନ୍ୟ ପ୍ରମୁଖ ମେଢ଼ ନିକଟରେ ସିସିଟିଭି କ୍ୟାମେରା ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତ୍ୟେକ ପୂଜା ମଣ୍ଡପରେ ୧୦ ଜଣ ଲେଖାଏଁ ସ୍ୱେଚ୍ଛାସେବୀ ନିୟୋଜିତ କରିବାକୁ ପ୍ରସ୍ତାବ ରଖାଯାଇଥିଲା। ପୂଜା ଓ ଭସାଣି ସମୟରେ ଉତ୍ତମ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା। ଭସାଣି ଶୋଭାଯାତ୍ରାରେ ଡିଜେ ବ୍ୟବହାର ନକରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପୂଜା ଅବସରରେ ବିଭିନ୍ନ ଖାଦ୍ୟ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଓ ସ୍ୱଚ୍ଛତା ନିଶ୍ଚିତ କରିବା ପାଇଁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ବୈଠକରେ ଶାନ୍ତି କମିଟିର ସଭାପତି କର୍ଣାଟ କେଶରୀ ଦାସଙ୍କ ସମେତ ସମସ୍ତ ସଦସ୍ୟ ଓ ପୂଜା କମିଟିର ସଦସ୍ୟମାନେ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ।
#jajpurkalipuja #lntvnetwork #JajpurNews #jajpurkhabar #Aeiodisha #facebookreel
Bhubaneswar M Corp, Khordha | Oct 30, 2026