ଜବାନଙ୍କୁ ଫଟାମୁଣ୍ଡା ଗାଁରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ସୁବାଷ ଚନ୍ଦ୍ର ନେଗୀଙ୍କ ସଫଳତାରେ ଗର୍ବିତ ଗ୍ରାମବାସୀ, ପିତାମାତାଙ୍କୁ ମଧ୍ୟ ସମ୍ମାନିତ
ବରଗଡ଼/ପଦ୍ମପୁର: ଗାଁର ସୁଯୋଗ୍ୟ ସନ୍ତାନ ଭାରତୀୟ ସୁରକ୍ଷା ବାହିନୀରେ ସାମିଲ ହେବା ପରେ ଗର୍ବରେ ଫୁଲି ଉଠିଛି ଫଟାମୁଣ୍ଡା ଗାଁ। ଗ୍ରାମର ଯୁବକ ସୁବାଷ ଚନ୍ଦ୍ର ନେଗୀ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (CRPF)ରେ ଯବାନ ଭାବେ ନୂଆ ନିଯୁକ୍ତି ପାଇଥିବାରୁ ତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ଓ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।
ଗ୍ରାମ୍ୟ ସଭାପତି ଗୋପବନ୍ଧୁ ଶିକାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସୁବାଷଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା। ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଗାଁ ପରିକ୍ରମା କରାଯାଇ ଘରେ ଘରେ ସ୍ୱାଗତ କରାଯାଇଥିଲା। ଏହି ସମୟରେ ଗାଁରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
ଏହି ଅବସରରେ ଯବାନଙ୍କ ପିତା ମକରଧ୍ୱଜ ନେଗୀ ଓ ମାତା ପ୍ରମିଳା ନେଗୀଙ୍କୁ ମଧ୍ୟ ଗ୍ରାମ୍ୟ କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା। ପୁଅର ସଫଳତାରେ ପିତାମାତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ମାନ ଜଣାଇବା ଅବସର ଭାବବିହ୍ୱଳ ହୋଇଉଠିଥିଲା।
ସଭାରେ ଗ୍ରାମବାସୀ କହିଥିଲେ ଯେ, ଫଟାମୁଣ୍ଡା ଭଳି ଏକ ଛୋଟ ଗାଁରୁ ଜଣେ ଯୁବକ ଦେଶର ସୁରକ୍ଷା ବାହିନୀରେ ସାମିଲ ହେବା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ। ସୁବାଷଙ୍କ ନିଷ୍ଠା, ଦେଶପ୍ରେମ ଓ କଠିନ ପରିଶ୍ରମ ଗାଁର ଅନ୍ୟ ଯୁବକମାନଙ୍କୁ ମଧ୍ୟ ଦେଶସେବା ପାଇଁ ପ୍ରେରଣା ଯୋଗାଇବ। ତାଙ୍କ ସଫଳତା ପ୍ରମାଣ କରିଛି ଯେ ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଥିଲେ ସଫଳତା ନିଶ୍ଚିତ।
କାର୍ଯ୍ୟକ୍ରମରେ ଗ୍ରାମର ବୟୋଜ୍ୟେଷ୍ଠ, ମହିଳା, ଯୁବକ, ଛାତ୍ରଛାତ୍ରୀଙ୍କ ସମେତ ଗାଁର ସମସ୍ତ ଜନସାଧାରଣ ଏକଜୁଟ ହୋଇ ଯୋଗଦେଇଥିଲେ। ଯବାନଙ୍କୁ ସମ୍ମାନିତ କରିବା ଓ ତାଙ୍କ ସଫଳତାକୁ ନିଜ ଗାଁର ଗର୍ବ ଭାବେ ପାଳନ କରିବା ପାଇଁ ସମସ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଇଥିଲା।
ଗ୍ରାମ୍ୟ କମିଟିର ସମ୍ପାଦକ ମହେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଅଶୋକ ମେହେରଙ୍କ ସହ ସଦସ୍ୟ ନବୀନ ମେହେର, ବିଧାନ ଗିରି, କର୍ଣ୍ଣ ବରିହା, ଅଣାକର ମେହେର, ରଙ୍ଗାଧର, ସୁନା ପ୍ରମୁଖ ଉପସ୍ଥିତ ଥିଲେ।
ଶେଷରେ ଗ୍ରାମ୍ୟ କମିଟି ପକ୍ଷରୁ ସୁବାଷଙ୍କୁ ମାନପତ୍ର ପ୍ରଦାନ କରାଯାଇ ଦେଶସେବା ପାଇଁ ଶୁଭକାମନା ଜଣାଯାଇଥିଲା। ତାଙ୍କ ଦୀର୍ଘାୟୁ, ସୁସ୍ଥ ଓ ସୁରକ୍ଷିତ ଜୀବନ କାମନା କରିବା ସହ ତ୍ରିରଙ୍ଗାର ମାନ ରଖି ଦେଶ ପାଇଁ ନିଷ୍ଠାର ସହ ସେବା କରିବାକୁ ଶୁଭେଚ୍ଛା ଜଣାଯାଇଥିଲା।
ସୁବାଷଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ନୁହେଁ, ସମଗ୍ର ଫଟାମୁଣ୍ଡା ଗାଁ ପାଇଁ ଏକ ଗୌରବର ମୁହୂର୍ତ୍ତ ପାଲଟିଥିବା ବେଳେ ଗାଁର ସମସ୍ତ ଜନସାଧାରଣଙ୍କ ଏକତା ଓ ଭଲପାଇବା ଏହି ସମ୍ବର୍ଦ୍ଧନାକୁ ଆହୁରି ସ୍ମରଣୀୟ କରିଦେଇଛି।