ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ଆଗରେ ଯାଉଥିବା ଟ୍ରକକୁ ପଛରୁ ପିଟିଲା ପରିବା ବୋଝେଇ ଟ୍ରକ, ଚାଳକ ଗୁରୁତର
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଭେଲୁରା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ ଟ୍ରକକୁ ପଛରୁ ଏକ ପରିବା ବୋଝେଇ ଟ୍ରକ ଜୋରସୋରରେ ଧକ୍କା ଦେବାରୁ ଘଟଣାସ୍ଥଳରେ ପରିବା ଟ୍ରକର ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି।ଉକ୍ତ ପରିବା ବୋଝେଇ ଟ୍ରକଟି ପ୍ରଚୁର ପରିବା ବୋଝେଇ କରି ବାଲେଶ୍ୱର ଆଡ଼କୁ ଯାଉଥିଲା। ଠିକ୍ ସେହି ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଭେଲୁରା ଛକ ନିକଟରେ ଭାରସାମ୍ୟ ହରାଇ ଏହା ଆଗରେ ଯାଉଥିବା ଅନ୍ୟ ଏକ ଟ୍ରକ ପଛରେ ପିଟି ହୋଇଥିଲା। ଧକ୍କାଟି ଏତେ ଜୋର୍ରେ ଥିଲା ଯେ ପରିବା ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି ଏବଂ ଚାଳକ ଜଣକ ଭିତରେ ଚାପି ହୋଇ ରହିଯାଇଥିଲେ।ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଟିମ୍ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ତ୍ୱରିତ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ଥିବା ଟ୍ରକ ଚାଳକଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।ଏହି ଦୁର୍ଘଟଣା କାରଣରୁ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିବାବେଳେ ଉଭୟ ପାର୍ଶ୍ୱରେ ଗାଡ଼ିଗୁଡ଼ିକର ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା। ପରେ ଜାତୀୟ ରାଜପଥ ପେଟ୍ରୋଲିଂ ଟିମ୍ ଦୁର୍ଘଟଣାଗ୍ରସ୍ତ ଗାଡ଼ିଗୁଡ଼ିକୁ ରାସ୍ତା କଡ଼କୁ ହଟାଇ ଟ୍ରାଫିକ ବ୍ୟବସ୍ଥାକୁ ସ୍ୱାଭାବିକ କରାଇଥିଲେ। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
Surajtv #accident #vellora #basta #balasore