#ଆନ୍ତର୍ଜାତୀୟ_ଧାନ_ସମ୍ମିଳନୀ
#କଳା_ଜିରା_ଚାଉଳର_ଚାହିଦା_ଉପରେ_ଗୁରୁତ୍ୱାରୋପ
ଦିଲ୍ଲୀଠାରେ ଅକ୍ଟୋବର ୨୩,୨୪ ଓ ୨୫ ତାରିଖରେ ଅନୁଷ୍ଠିତ ଭାରତ ଆନ୍ତର୍ଜାତୀୟ ଧାନ ସମ୍ମିଳନୀରେ କୋରାପୁଟ ଜିଲ୍ଲା ଜୟପୁରର ବିଶିଷ୍ଟ ବ୍ୟବସାୟୀ ଆକାଶ ମାଦୀ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ସେ କଳା ଜିରା ଚାଉଳର ଉତ୍ପାଦନ ଓ ଅନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ସମ୍ପର୍କରେ ନିଜର ମତ ରଖିଥିଲେ। ଆକାଶଙ୍କ କହିବା ଅନୁଯାୟୀ, ଅନ୍ତର୍ଜାତୀୟ ବଜାରରେ କଳା ଜିରା ଚାଉଳର ବେଶ୍ ଚାହିଦା ରହିଛି। ସାଧାରଣ ଚାଉଳ ତୁଳନାରେ ଏହାର ବଜାର ମୂଲ୍ୟ ପ୍ରାୟ ତିନିଗୁଣ ଅଧିକ। ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ୍ ଓ ପୋଷକତତ୍ତ୍ୱ ରହିଥିବାରୁ ଏହାର ବାଣିଜ୍ୟିକ ଗୁରୁତ୍ୱ ମଧ୍ୟ ଅଧିକ। ବିଶେଷକରି କୋରାପୁଟ ଜିଲ୍ଲାରେ ଏହି ସ୍ୱତନ୍ତ୍ର କିସମର ଧାନ ଚାଷ କରାଯାଉଥିବା ବେଳେ ଏହାକୁ ଭାରତ ସରକାରଙ୍କ ମାନ୍ୟତା ମଧ୍ୟ ମିଳିଛି। ତେବେ ଏହି ଚାଉଳର ଅଧିକ ଚାହିଦା ଓ ଉଚ୍ଚ ବଜାର ମୂଲ୍ୟ ସତ୍ତ୍ୱେ ଦେଶର ଅଧିକ ସଂଖ୍ୟକ ଚାଷୀ ଏହାର ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି। ତେଣୁ କଳା ଜିରା ଧାନ ଚାଷର ପ୍ରସାର, ଉତ୍ପାଦନ ବୃଦ୍ଧି ଏବଂ ଚାଷୀଙ୍କୁ ଏହାର ଲାଭ ସମ୍ପର୍କରେ ସଚେତନ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହି ଚାଷକୁ ଆପଣାଇଲେ ଚାଷୀମାନେ ଅଧିକ ଆର୍ଥିକ ଲାଭ ପାଇପାରିବେ ବୋଲି ସେ ମତ ଦେଇଥିଲେ। ଆଗାମୀ ଦିନରେ କୋରାପୁଟ ଜିଲ୍ଲାରେ କଳା ଜିରା ଧାନର ଉତ୍ପାଦନ ବୃଦ୍ଧି ଓ ଏହାର ପ୍ରଚାର ପ୍ରସାର ପାଇଁ ନିଜର ପ୍ରୟାସ ଜାରି ରଖିବେ ବୋଲି ଆକାଶ ଜୟପୁରର ଏକ ସ୍ଥାନୀୟ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।