ରାଇତଳା ପଞ୍ଚାୟତରେ ଅନିୟମିତତା ଅଭିଯୋଗ
ଜିଲ୍ଲାପାଳଙ୍କୁ ଭେଟି ନିରପେକ୍ଷ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କଲେ ୩୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ
ଢେଙ୍କାନାଳ : ଗଁଦିଆ ବ୍ଲକ ଅନ୍ତର୍ଗତ ରାଇତଳା ପଞ୍ଚାୟତର କୋହ୍ଲୁଆ ଆଦିବାସୀ ଗ୍ରାମରେ ସରକାରୀ ଯୋଜନାର କାର୍ଯ୍ୟକାରିତାକୁ ନେଇ ଅନିୟମିତତାର ଅଭିଯୋଗ ଉଠିଛି। ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କରି ୩୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନ ପୂର୍ବେ ଜଳ ବିଭାଜିକା ବିଭାଗ ପକ୍ଷରୁ ଏନ୍ଆର୍ଜିଏସ୍ ଯୋଜନାରେ ମାଟି ଓ ଟ୍ରେଞ୍ଚ ଖନନ କାର୍ଯ୍ୟ କରାଯାଇଥିଲା। ତେବେ ପୁନର୍ବାର ପଞ୍ଚାୟତ ପକ୍ଷରୁ ବିନା ସୂଚନା ଫଳକ ଓ ପଲ୍ଲୀସଭା ଆୟୋଜନରେ ପୂର୍ବରୁ ଥିବା ଟ୍ରେଞ୍ଚଗୁଡ଼ିକୁ ଅଧିକ ଗଭୀର କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି।
ଏହି ଗଭୀର ଟ୍ରେଞ୍ଚରେ ଗାଈଗୋରୁ ପଡ଼ି ମୃତ୍ୟୁବରଣ କରୁଥିବା ବେଳେ ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ୁଥିବା ନେଇ ମଧ୍ୟ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ଟ୍ରେଞ୍ଚ ଯୋଗୁଁ ହାତୀମାନେ ବିଲ ପଡ଼ିଆ ଦେଇ ଯାତାୟାତ ନକରି ଗ୍ରାମ ଭିତରକୁ ପ୍ରବେଶ କରୁଥିବା ଏବଂ ସନ୍ଧ୍ୟା ହେବା ପୂର୍ବରୁ ଗାଁରେ ପହଞ୍ଚିଯାଉଥିବା ସେମାନେ କହିଛନ୍ତି।
ଟ୍ରେଞ୍ଚଗୁଡ଼ିକୁ ପୁନର୍ବାର ଗଭୀର କରିବାର ଆବଶ୍ୟକତା ନଥିବା ସତ୍ତ୍ୱେ ସରକାରୀ ଅର୍ଥର ଅପବ୍ୟବହାର ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟ କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ ଯାଞ୍ଚ ହେବା ଆବଶ୍ୟକ।
ସରକାରୀ ଅର୍ଥର ସଠିକ୍ ବିନିଯୋଗ, ଉନ୍ନୟନମୂଳକ କାର୍ଯ୍ୟରେ ସ୍ୱଚ୍ଛତା ଏବଂ ଗ୍ରାମବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଘଟଣାର ତଦନ୍ତ କରିବା ସହ ଅଭିଯୋଗର ସତ୍ୟାସତ୍ୟ ଆଧାରରେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି।
ଏହି ଦାବିରେ ଜଗବନ୍ଧୁ ବେହେରା, ଶ୍ୟାମ ବେହେରା, ସୀତା ସାମଲ, ରୁପାଲୀ ବେହେରା, ବୀଣା ଖଟୁଆ, ହରିହର ବେହେରା, ସରୁଆ ଦେହୁରୀ, ପ୍ରତିମା ବେହେରାଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ସାମିଲ ହୋଇଛନ୍ତି।
ସୌଜନ୍ୟ – ନିଉଜ ଓଡ଼ିଆ ଓଡ଼ିଶା
#public #newsodiaodisha #dailyodia #facebookvairal