
ଥାଇଲାଣ୍ଡରେ ଚମକିଲେ ନୟାଗଡ଼ ଝିଅ ଆୟାନି, ହାସଲ କଲେ "ମିସ୍ଟିନ୍ ସୁପର୍ ଗ୍ଲୋବ ଏସିଆ" ଟାଇଟଲ୍
ନୟାଗଡ଼, ୧୫/୯ : ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ନୟାଗଡ଼ ଜିଲ୍ଲାର ସୁନାଲତି ଗ୍ରାମର କୁନି ପ୍ରତିଭା ଆୟାନି ଅଲିଶା ଆକାଂକ୍ଷା ଥାଇଲାଣ୍ଡରେ ଅନୁଷ୍ଠିତ ‘ମିସ୍ ଟିନ୍ ସୁପର୍ ଗ୍ଲୋବ୍ ୨୦୨୬’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ଆୟାନି ‘ମିସ୍ ଟିନ୍ ସୁପର୍ ଗ୍ଲୋବ୍ ଏସିଆ’ ଟାଇଟଲ୍ ହାସଲ କରିଛନ୍ତି। ଏଥିସହ ସେ ବେଷ୍ଟ ୱାକ୍ ସହ ଏକାଧିକ ସବ୍-ଟାଇଟଲ୍ ମଧ୍ୟ ହାସଲ କରି ଦେଶ ଓ ଓଡ଼ିଶାର ନାମ ଉଜ୍ଜ୍ୱଳ କରିଛନ୍ତି।
୨୦୨୫ ମସିହାରେ ଆୟାନି ‘ମିସ୍ ଟିନ୍ ସୁପର୍ ଗ୍ଲୋବ୍ ଇଣ୍ଡିଆ’ ଟାଇଟଲ୍ ବିଜୟୀ ହୋଇଥିଲେ। ଏହାପରେ ୨୦୨୬ରେ ଥାଇଲାଣ୍ଡରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ବିଭିନ୍ନ ଦେଶରୁ ପ୍ରାୟ ୩୦ ଜଣ ପ୍ରତିଯୋଗୀ ଏହି ଅନ୍ତର୍ଜାତୀୟ ମଞ୍ଚରେ ଭାଗ ନେଇଥିବା ବେଳେ ଆୟାନି ନିଜର ପ୍ରତିଭା, ଆତ୍ମବିଶ୍ୱାସ ଓ ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ନିଜକୁ ପ୍ରମାଣିତ କରିଥିଲେ।
ଆୟାନି ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ କାର୍ମେଲ୍ ଇଂଲିଶ୍ ମିଡିୟମ୍ ସ୍କୁଲ୍ର ୯ମ ଶ୍ରେଣୀର ଛାତ୍ରୀ। ପାଠପଢ଼ା ସହିତ ସେ ଜଣେ ଭଲ ଆଥଲେଟ୍ ଓ ନୃତ୍ୟଶିଳ୍ପୀ। ଅଭିନୟ, ନୃତ୍ୟ, ଗୀତ ଓ ଚିତ୍ରାଙ୍କନ ତାଙ୍କର ପ୍ରମୁଖ ଆଗ୍ରହ। ଭବିଷ୍ୟତରେ ନିଜ ପ୍ରତିଭା ମାଧ୍ୟମରେ ଦେଶ ପାଇଁ ଆହୁରି ଗୌରବ ଆଣିବା ତାଙ୍କର ଲକ୍ଷ୍ୟ।
ଆୟାନିଙ୍କ ପ୍ରେରଣା ହେଉଛନ୍ତି ତାଙ୍କ ବଡ଼ ଭଉଣୀ ପ୍ରଜ୍ଞା ପର୍ଣ୍ଣିତା। ପ୍ରଜ୍ଞା ନିଜେ ମଧ୍ୟ ଅନ୍ତର୍ଜାତୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରି ଟାଇଟଲ୍ ହାସଲ କରିଥିବାରୁ ଆୟାନିଙ୍କ ସଫଳତା ପଛରେ ତାଙ୍କ ଭଉଣୀଙ୍କ ପ୍ରେରଣା ଓ ସମର୍ଥନ ରହିଛି।
ଆୟାନିଙ୍କ ବାପା ଗୋପାଳ ଚନ୍ଦ୍ର ଦଳେଇ ଓ ମା’ କଳ୍ପନା ମଞ୍ଜରୀ ଦଳେଇ। ତାଙ୍କ ପୈତୃକ ଘର ନୟାଗଡ଼ ଜିଲ୍ଲାର ଇଟାମାଟି, ସୁନାଲତି ଗ୍ରାମରେ। ଝିଅର ଏହି ଅନ୍ତର୍ଜାତୀୟ ସଫଳତାରେ ପରିବାର, ବିଦ୍ୟାଳୟ ବିଶେଷ କରି ନୟାଗଡ଼ରେ ଖୁସିର ମାହୋଲ୍ ସୃଷ୍ଟି ହୋଇଛି।
ଓଡ଼ିଶାର ଏହି କୁନି ପ୍ରତିଭା ଆୟାନି ଆଗାମୀ ଦିନରେ ଆହୁରି ବଡ଼ ମଞ୍ଚରେ ଦେଶର ନାମ ଉଜ୍ଜ୍ୱଳ କରିବେ ବୋଲି ପରିବାର, ବନ୍ଧୁ ବାନ୍ଧବ ଓ ଶୁଭେଚ୍ଛୁ ମାନେ ଆଶାବାଦୀ ଅଛନ୍ତି।
Konark, Puri | Sep 15, 2026