ହାଟଗାଁ ମା ଆଦିଶକ୍ତିଙ୍କ ପୀଠରେ ପବିତ୍ର ଶାରଦୀୟ ନବରାତ୍ର ଉତ୍ସବ ମହା ସମାରୋହରେ ଉଦଯାପିତ
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂପୁର ପଂଚାୟତ ହଟଗାଁ ମା ଆଦିଶକ୍ତିଙ୍କ ପୀଠରେ ନବାହ ପାରାୟଣ, ନାମ ସଂକୀର୍ତ୍ତନ, ପ୍ରବଚନ ଏବଂ ଯଜ୍ଞ କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି ହୋଇଯାଇଛି l ନବରାତ୍ର ର ଅନ୍ତିମ ଦିବସରେ ଶ୍ରୀରାଧାମାଧବ ସେବାଶ୍ରମ ର ମୁଖ୍ୟ ଆଚାର୍ଯ୍ୟ ଶ୍ରୀମାନ ଆଦିତ୍ୟ ଦାସ ବ୍ରହ୍ମଚାରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପୂଜ୍ୟ ମହାରାଜ ଜୀ ସମସ୍ତ ଭକ୍ତ ମାନଙ୍କୁ ହରି କଥା ଶ୍ରବଣ କରାଇବା ସହ ନବରାତ୍ରରେ ମାଆ ଙ୍କ ମହିମା ଏବଂ ହାଟ ଗାଁ ରେ ଅବସ୍ଥିତ ମା ଆଦିଶକ୍ତି ଙ୍କ ପୀଠ ବିଷୟରେ ବିଶେଷ ବର୍ଣ୍ଣନା କରିଥିଲେ। ମା ଆଦିଶକ୍ତି ଦୀର୍ଘ ୭୫ ବର୍ଷ ଧରି ଏହି ସ୍ଥାନରେ ପୂଜିତ ହୋଇ ସମସ୍ତ ଭକ୍ତ ମାନଙ୍କ ମନସ୍କାମନା ପୂର୍ଣ୍ଣ କରୁଛନ୍ତି ବୋଲି ସେ ନିଜର ମନ୍ତବ୍ୟ ରଖିଥିଲେ। ମା ଆଦିଶକ୍ତି ମଧ୍ୟ ନିଜେ ତାଙ୍କୁ ଡାକିଥିବା ରୁ ସେ ଏହି ପୀଠକୁ ଆସି ପାରିଛନ୍ତି ବୋଲି କହି ମା ଙ୍କ କୃପା ବଖାଣିଥିଲେ। ଏହା ସହ ଏହି ପୀଠ ଟି ବୌଦ୍ଧର ଏକ ଗୁପ୍ତ ପୀଠ ଯେଉଁ ସ୍ଥାନରେ ମାଆ ଗୁପ୍ତ ରୂପରେ ପୂଜିତ ହୋଇ ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଥିବା ଭକ୍ତ ମାନଙ୍କ ସମସ୍ୟା ଦୂର କରୁଛନ୍ତି। ଏହାର ମହିମା ସର୍ବତ୍ର ବ୍ୟାପକ ହେବା ନିହାତି ଆବଶ୍ୟକ ବୋଲି ସେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହା ସହ ସମଗ୍ର ଭାରତ ବର୍ଷରେ ଗୋହତ୍ୟା ବନ୍ଦ କରିବା ପାଇଁ ସାଧୁ ସନ୍ଥ ମାନଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ରାଜ୍ୟ ଦାୟିତ୍ୱ ତୁଲାଉଥିବା ରୁ ସେ ମାଙ୍କ ଠାରେ ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ପାଇଁ ପ୍ରାର୍ଥନା କରିଥିଲେ। ସେଠାରେ ଉପସ୍ଥିତ ଥିବା ସମସ୍ତ ଭକ୍ତ ମାନଙ୍କୁ ଗୋମାତାଙ୍କ ବିଷୟରେ ବୁଝାଇବା ସହ ଆସନ୍ତା ୧୭ ଡିସେମ୍ବର ରେ ଭୁବନେଶ୍ୱରରେ ହେବାକୁ ଥିବା ଗୋ ସମ୍ମାନ ଦିବସ ରେ ନିଜ ଗୋମାତାଙ୍କ ହତ୍ୟା ବନ୍ଦ କରିବା ସହ ରାଷ୍ଟ୍ରୀୟ ସମ୍ମାନ ଦେବା ପାଇଁ ସେ ସମସ୍ତ ସାଧୁ ସନ୍ଥ, ଗୋ ଭକ୍ତ ଏବଂ ଧର୍ମାଚାର୍ଯ୍ୟ ମାନଙ୍କୁ ଆହ୍ୱାନ କରିଛନ୍ତି। ମା ଆଦିଶକ୍ତି ପୀଠ ର ମୁଖ୍ୟ ସେବିକା ସୂର୍ଯ୍ୟକାନ୍ତୀ ମାତା ମଧ୍ୟ ଗୋମାତା ଆମ ସନାତନ ଧର୍ମର ପ୍ରାଣ ବିନ୍ଦୁ ଏବଂ ଗୋ ସମ୍ପଦ ବଞ୍ଚିଲେ ହିଁ ଦେଶ ବଞ୍ଚିବ ବୋଲି ପ୍ରକାଶ କରିବା ସହ ଅଭିଯାନ ସଫଳ କରିବା ପାଇଁ ନିଜର ସମ୍ପୂର୍ଣ୍ଣ ଚେଷ୍ଟା ରହିବ ବୋଲି ପ୍ରକାଶ କରିଛନ୍ତି। ନବରାତ୍ର ର ଅନ୍ତିମ ଦିବସରେ ମା ଙ୍କ ପୀଠରେ ହଜାର ସଂଖ୍ୟକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି ଅବସରରେ ହେଉଥିବା ସମସ୍ତ କାର୍ଯ୍ୟକ୍ରମକୁ ସନ୍ଥ ଜଗଦାନନ୍ଦ ଦାସ ପରିଚାଳନା କରିଥିଲେ। ପାତାଳି ଶ୍ରୀକ୍ଷେତ୍ର ନାୟକପଡ଼ା ମଠର ମହନ୍ତ ଗୋପାଳ ଦାସ, ସନ୍ଥ ଗୋବର୍ଦ୍ଧନ ଦାସ, ଶ୍ରୀମଦ ମହର୍ଷି କମଳ ମହାପ୍ରଭୁ , ଶେଷଦେବ ଦାସ ଏବଂ ଅନ୍ୟାନ୍ୟ ସାଧୁସନ୍ଥ ମାନେ ମଧ୍ୟ ଯୋଗଦାନ କରିଥିଲେ। ମାଙ୍କ ପୀଠରେ ମୁଖ୍ୟ ସେବକ ଭାବରେ ସନ୍ତୋଷ ସେଠୀ, ସୁଧୀର କୁମାର ପାଣ୍ଡେ ସମସ୍ତ ଦାୟିତ୍ୱ କୁ ତୁଲାଇଥିଲେ। ମା ଆଦିଶକ୍ତି ମନ୍ଦିର ପୂଜା କମିଟି ର ସମସ୍ତ କାର୍ଯ୍ୟ କର୍ତ୍ତା ମଧ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ।
#Boudh #Navratri #MaaAadishakti #Odishanews #GoSammanAbhiyan #AdivasiPeetha