ୟୁଟ୍ୟୁବ୍ରେ ଉନ୍ନତ ଛେଳି ପାଳନ ତାଲିମ
ଚାଷୀଙ୍କ ଆୟ ବୃଦ୍ଧି ଓ ଯୁବ ଉଦ୍ୟୋଗୀଙ୍କୁ ସ୍ୱାବଲମ୍ବୀ କରିବା ଉପରେ ଗୁରୁତ୍ୱ
ଭବାନୀପାଟଣା: କର୍ତ୍ତବ୍ୟ ଅନୁଷ୍ଠାନ ଓ ରିଲାଏନ୍ସ ଫାଉଣ୍ଡେସନର ମିଳିତ ସହଯୋଗରେ ଉନ୍ନତ ଛେଳି ପାଳନ ସମ୍ପର୍କରେ ଚାଷୀ ଓ ଯୁବ ଉଦ୍ୟୋଗୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ୟୁଟ୍ୟୁବ୍ ମାଧ୍ୟମରେ ଏକ ଅନଲାଇନ୍ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏଥିରେ ତାଲିମଦାତା ଭାବେ କଳାହାଣ୍ଡି ଜିଲ୍ଲାର ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ନିରଦ ଚନ୍ଦ୍ର କହଁର ଯୋଗଦେଇ ଛେଳି ପାଳନର ବିଭିନ୍ନ ବୈଜ୍ଞାନିକ ପଦ୍ଧତି ସମ୍ପର୍କରେ ଆଲୋକପାତ କରିଥିଲେ।
ଛେଳିଙ୍କ ପାଇଁ ଉପଯୁକ୍ତ ଗୁହାଳ ନିର୍ମାଣ, ଉନ୍ନତ ପ୍ରଜାତି ଚୟନ, ସନ୍ତୁଳିତ ଖାଦ୍ୟ ପ୍ରଦାନ, ପ୍ରଜନନ ପରିଚାଳନା, ବୀମାକରଣ, ପରିଷ୍କାର-ପରିଚ୍ଛନ୍ନତା, ଟିକାକରଣ ଓ ବିଭିନ୍ନ ରୋଗର ନିୟନ୍ତ୍ରଣ ଉପରେ ସେ ବିସ୍ତୃତ ଭାବେ ବୁଝାଇଥିଲେ।
ଛେଳି ପାଳନକୁ ଏକ ଲାଭଜନକ ଜୀବିକା ଭାବେ ଗ୍ରହଣ କରି ଗ୍ରାମାଞ୍ଚଳର ଯୁବକ-ଯୁବତୀମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ଏବଂ ଚାଷୀମାନେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରି ଉତ୍ପାଦନ ସହ ଆୟ ବୃଦ୍ଧି କରିପାରିବେ, ସେ ସମ୍ପର୍କରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।
ଡିଜିଟାଲ ମାଧ୍ୟମରେ ଏଭଳି ଜ୍ଞାନଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଚାଷୀଙ୍କୁ ଆଧୁନିକ କୃଷି ଓ ପଶୁପାଳନ ପଦ୍ଧତି ସମ୍ପର୍କରେ ଅବଗତ କରାଇବା ସହ ଜୀବିକା ନିର୍ବାହରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।