SMS News Bureau Rourkela
ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ ଓ ଜନଗଣଙ୍କ ଜୀବନ ଜୀବିକା ର ଦାବିକୁ ନେଇ ସେପ୍ଟେମ୍ବର ୨୪-୨୫ ବିଧାନସଭା ଆଗ ରେ ସିଆଇଟିୟୁ ର ଦୁଇ ଦିନିଆ ରାଜ୍ୟସ୍ତରୀୟ ଗଣଧାରଣା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଠିକା ଶ୍ରମିକଙ୍କ ବୈଠକରେ ନିଷ୍ପତ୍ତି।
କେନ୍ଦ୍ର ମୋଦି ସରକାର ଙ୍କ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା,ଓଡ଼ିଶା ବିରୋଧୀ ଏମ୍ ଏମ୍ ଡି ଆର୍ ସଂଶୋଧିତ ଆଇନ୍ -୨୦୨୬ ରଦ୍ଦ କରିବା, ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା ପ୍ରଦାନ କରିବା,ଆଶା, ଅଙ୍ଗନବାଡି ପ୍ରଭୃତି ସ୍କିମ ଶ୍ରମିକ ମାନଙ୍କୁ ଶ୍ରମିକ ର ମାନ୍ୟତା ଓ ସାମାଜିକ ସୁରକ୍ଷା ଯୋଗାଇଦେବା,ଠିକା ଶ୍ରମିକ ମାନଙ୍କ କାର୍ଯ୍ୟର ସୁରକ୍ଷା ଓ ଏନ୍ ଜେ ସି ଏସ ରେ ସ୍ଥାୟୀ ଓ ଠିକା ଶ୍ରମିକଙ୍କ ମଜୁରୀ ଚୁକ୍ତିନାମା, ମଜୁରୀ ନିର୍ଦ୍ଧାରଣ ବୋର୍ଡ଼ ରେ ସି ଆଇ ଟି ୟୁ ପ୍ରତିନିଧି ଙ୍କୁ ସାମିଲ କରିବା,ଜନଗଣଙ୍କ ମୈ।ଳିକ ସମସ୍ୟାର ସମାଧାନ ଯଥା ଖାଦ୍ୟ ସାମଗ୍ରୀ ର ଆକାଶଛୁଆଁ ବଜାର ଦର ନିୟନ୍ତ୍ରଣ, ରନ୍ଧନ ଗ୍ୟାସ ଓ ତୈଳ ଦର ନିୟନ୍ତ୍ରଣ କରିବା,ଇଥାନଲ ମିଶ୍ରଣ ପେଟ୍ରୋଲ କୁ ବନ୍ଦ କରିବା ପ୍ରଭୃତି ଦାବିରେ ଆସନ୍ତା ସେପ୍ଟେମ୍ବର ୨୪-୨୫ ଦୁଇଦିନ ଧରି ସି ଆଇ ଟି ୟୁ ପକ୍ଷରୁ ରାଜ୍ୟସ୍ତରୀୟ ଗଣଧାରଣା କାର୍ଯ୍ୟକ୍ରମ ବିଧାନ ସଭା ଆଗରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ରେ ସୁନ୍ଦରଗଡ଼ ଜିଲ୍ଲା ରୁ ପ୍ରାୟ ୫ ହଜାର ଖଣି ଶ୍ରମିକ, ଶିଳ୍ପ ଶ୍ରମିକ, ଇସ୍ପାତ,ଠିକା , ନିର୍ମାଣ, ପରିବହନ, କୋଇଲା ଶିଳ୍ପ ର ଶ୍ରମିକ ଙ୍କ ସମେତ ଆଶା, ଅଙ୍ଗନବାଡି,ପାଚିକା ର ହଜାର ହଜାର ସ୍କିମ୍ ଶ୍ରମିକ ଯୋଗଦେବେ।
ଆଜି ସ୍ଥାନୀୟ ଶ୍ରମିକ ଭବନ, ସେକ୍ଟର -୧୬ ଠାରେ ରାଉରକେଲା କଣ୍ଟାର୍କଟର ଓରକର୍ସ ୟୁନିୟନ ( ସି ଆଇ ଟି ୟୁ) ର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଏ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି। ୟୁନିୟନର ବରିଷ୍ଠ ଉପ ସଭାପତି ଶ୍ରୀମନ୍ତ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ୟୁନିୟନର ସାଧାରଣ ସଂପାଦକ ବିମାନ ମାଇତି,ବି ପି ମହାପାତ୍ର,ରାଜ କିଶୋର ପ୍ରଧାନ, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ, ପ୍ରଭାତ ମହାନ୍ତି, ଦିବାକର ମହାରଣା, ବିନୟ ବେହୁରିଆ, ଅଶୋକ ଦାସ, ସାଗର ଛୋଟରାୟ,ଜଗଦିଶ ପାଲ, ହିତେଶ ମଲିକ୍, ଜୟନ୍ତୀ ମୋହିନୀ, ମମତା ଭୂମିଜ, ଅଜିତ୍ ରାୟ, ଅନାଦି ସାହୁ ପ୍ରମୁଖ ବକ୍ତବ୍ୟ ରଖି ରାଉରକେଲା ଇସ୍ପାତ କାରଖାନା ଓ ଟାଉନସିପ୍ ଓ ବିଭିନ୍ନ ବସ୍ତି ଓ ଅନ୍ୟାନ୍ୟ ଅଂଚଳରେ ବସବାସ କରୁଥିବା ଠିକା ଶ୍ରମିକ ମଧ୍ୟରେ ସଭା, ପ୍ରଚାର ପତ୍ର ବଣ୍ଟନ କରି ଶ୍ରମିକ ଓ ଜନ ବିରୋଧି ମୋଦି ସରକାର ବିରୁଦ୍ଧରେ ଏହି ଗଣଧାରଣା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ।