ବୌଦ୍ଧ ଜିଲ୍ଲାରେ ପିଏମ୍-କିସାନ ୨୩ତମ କିସ୍ତି ପ୍ରଦାନ ସମାରୋହ ଅନୁଷ୍ଠିତ l
ବୌଦ୍ଧ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (ସିଡିଏଓ), ବୌଦ୍ଧଙ୍କ ଆୟୋଜନରେ ପାଲିଝାର ଫାର୍ମଠାରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (ପିଏମ୍-କିସାନ) ଯୋଜନାର ୨୩ତମ କିସ୍ତି ଅର୍ଥରାଶି ପ୍ରଦାନ ଅବସରରେ ଜିଲ୍ଲାସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ବୌଦ୍ଧର ମୁଖ୍ୟ ବୈଜ୍ଞାନିକ ଡଃ ତପନ କୁମାର ଦାସ ଏବଂ ଏନ୍ଏଚ୍ଆର୍ଡିଏଫ୍ (NHRDF), ପାଲିଝାରସ୍ଥିତ ଗବେଷଣା କେନ୍ଦ୍ରର ଯୁଗ୍ମ ନିର୍ଦ୍ଦେଶକ ଡଃ ସତ୍ୟେନ୍ଦ୍ର ସିଂହ ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜ୍ଞାନ ବଲ୍ଲଭ ଦାଶ କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ।
ଅତିଥିମାନେ ପିଏମ୍- କିସାନ ଯୋଜନା ଚାଷୀମାନଙ୍କ ଆର୍ଥିକ ସଶକ୍ତିକରଣ ଓ କୃଷି ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବା ଉଲ୍ଲେଖ କରିଥିଲେ। ସେମାନେ ଚାଷୀମାନଙ୍କୁ ଆଧୁନିକ କୃଷି ପ୍ରଯୁକ୍ତି ଆପଣାଇବା ଏବଂ ସରକାରୀ ଯୋଜନାର ସୁଫଳ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।
ଚଳିତ ୨୩ତମ କିସ୍ତିରେ ବୌଦ୍ଧ ଜିଲ୍ଲାର ୪୯,୩୪୨ ଜଣ ପିଏମ୍-କିସାନ ହିତାଧିକାରୀ ଉପକୃତ ହୋଇଥିବା ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଚାଷୀ, କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।