ଗଣେଶ ଚତୁର୍ଥୀ ଓ ନୂଆଖାଇ ପୂର୍ବରୁ ରାଉରକେଲାରେ ଅବକାରୀ ବିଭାଗର ବଡ଼ ଧରପଗଡ଼
୭ଟି ମାମଲା ରୁଜୁ; ୪୦୦୦ କିଲୋ ମହୁଲ ପୋଚ, ୪୭୯.୫ ଲିଟର ମହୁଲି ମଦ, ୩୦୦ କିଲୋ ମହୁଲ ଫୁଲ ଓ ତିନିଟି ଦୁଇଚକିଆ ସହ ଗାଡ଼ି ଜବତ
ରାଉରକେଲା, ୧୧ ସେପ୍ଟେମ୍ବର: ଆଗାମୀ ଗଣେଶ ଚତୁର୍ଥୀ ଓ ନୂଆଖାଇ ପର୍ବକୁ ଦୃଷ୍ଟିରେ ରଖି ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ମୋଟ ୭ଟି ଅବକାରୀ ମାମଲା ରୁଜୁ କରାଯାଇ ବିପୁଳ ପରିମାଣର ଅବୈଧ ମଦ, ମହୁଲ ଫୁଲ, ମହୁଲ ପୋଚ ଏବଂ ଯାନବାହନ ଜବତ କରାଯାଇଛି।
ଏହି ଅଭିଯାନ ରାଉରକେଲା ଅବକାରୀ ଅଧୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ତତ୍ତ୍ୱାବଧାନରେ, ଅବକାରୀ ଅଧୀକ୍ଷକ (ଏନଫୋର୍ସମେଣ୍ଟ) ଶ୍ରୀମତୀ ଅର୍ଚ୍ଚନା ବାରିକଙ୍କ ନେତୃତ୍ୱରେ ଏବଂ ଅବକାରୀ ଇନ୍ସପେକ୍ଟର ଶ୍ରୀ ହେମନ୍ତ ମହାନନ୍ଦିଆ ଓ ଶ୍ରୀ ଦୁର୍ବାଦଳ ବିଶ୍ୱାଳଙ୍କ ନିର୍ଦ୍ଦେଶରେ କରାଯାଇଥିଲା।
ଜିଲ୍ଲା ମୋବାଇଲ ୟୁନିଟ୍, ରାଉରକେଲା ପକ୍ଷରୁ ତିନିଟି ମାମଲାରେ ୨୫ ଲିଟର ମହୁଲି ମଦ, ୩୦୦ କିଲୋଗ୍ରାମ ମହୁଲ ଫୁଲ ଏବଂ ୮୪.୫ ଲିଟର ଭେଜାଲ ନକଲି ବିଦେଶୀ ମଦ ଜବତ କରାଯାଇଛି। ଏଥିସହ ଗୋଟିଏ ରୟାଲ ଏନଫିଲ୍ଡ ସିଗ୍ନାଲ୍ସ ମୋଟରସାଇକେଲ, ଦୁଇଟି ସ୍କୁଟି ଏବଂ ଗୋଟିଏ ଅଟୋ ଜବତ ହୋଇଛି। ଏହି ମାମଲାଗୁଡ଼ିକରେ ରାଜେଶ ମହାତୋ, ସୁନୀଲ ସାହୁ, ପ୍ରକାଶ ସିଙ୍ଗଲ ଓ ବଜରଙ୍ଗ ନାୟକଙ୍କ ନାମ ରହିଛି।
ରାଉରକେଲା-II ଅବକାରୀ ଷ୍ଟେସନ୍ ପକ୍ଷରୁ ମାଙ୍କୋ ଅଞ୍ଚଳରେ ଚଢ଼ାଉ କରି ୬୦ ଲିଟର ମହୁଲି ମଦ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି। ଏହି ମାମଲାରେ ସୁକ୍ରୁ କୁନୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସେହିପରି ରାଉରକେଲା-I ଅବକାରୀ ଷ୍ଟେସନ୍ ପକ୍ଷରୁ ବିସ୍ରା ଥାନା ଅଧୀନ ଖଇରଟୋଲାରେ ଚଢ଼ାଉ କରାଯାଇ ୨୩୭ ଲିଟର ମହୁଲି ମଦ ଓ ୪,୦୦୦ କିଲୋଗ୍ରାମ ମହୁଲ ପୋଚ ଜବତ କରାଯାଇଛି।
ପର୍ବପର୍ବାଣୀ ସମୟରେ ଅବୈଧ ମଦ ପ୍ରସ୍ତୁତି, ପରିବହନ ଓ ବିକ୍ରି ଉପରେ ରୋକ ଲଗାଇବା ପାଇଁ ଅବକାରୀ ବିଭାଗ ପକ୍ଷରୁ ଏଭଳି ଚଢ଼ାଉ ଓ ଯାଞ୍ଚ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।