*ନଭେମ୍ବର ୧୫ରେ ଝିରପାଣିରେ ପାଳିତ ହେବ ବୀର ବିର୍ସା ମୁଣ୍ଡାଙ୍କ ୧୫୨ତମ ଜୟନ୍ତୀ-୨୦୨୬*
*ବୀର ବିର୍ସା ମୁଣ୍ଡା ଜୟନ୍ତୀରେ ଶୋଭାଯାତ୍ରା ସହିତ ରକ୍ତଦାନ ଶିବିର ଓ ସାଂସ୍କୃତିକ କାର୍ଯ୍ୟକ୍ରମ*
ରାଉରକେଲା ୨୩/୧୦, ସ୍ବାଧୀନତା ସଂଗ୍ରାମୀ ଧରତୀ ଆବା ବୀର ବିର୍ସା ମୁଣ୍ଡାଙ୍କ ୧୫୨ତମ ଜୟନ୍ତୀ ଉପଲକ୍ଷେ ଆଦିବାସୀ ଟ୍ରାଇବାଲ୍ ଫୋରମ୍ ଟ୍ରଷ୍ଟ ପକ୍ଷରୁ ୨୦୨୬ ନଭେମ୍ବର ୧୫ ରବିବାର ଦିନ ଝିରପାଣି ସ୍ଥିତ ବିଜୟ କ୍ଲବ ପଡ଼ିଆରେ ଜୟନ୍ତୀ ସମାରୋହ ଆୟୋଜନ କରାଯିବ ବୋଲି ଆଜି ଝିରପାଣି ନନୀ କେଫ୍ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଆଦିବାସୀ ସଂସ୍କୃତି, ପରମ୍ପରା, ଏକତା ଓ ବୀର ବିର୍ସା ମୁଣ୍ଡାଙ୍କ ବଳିଦାନକୁ ସ୍ମରଣ କରିବା ସହ ସେବା, ଭାଇଚାରା ଓ ସାମାଜିକ ସଚେତନତାର ବାର୍ତ୍ତା ପ୍ରଚାର ପ୍ରସାର ଏହି ସମାରୋହର ମୁଖ୍ୟ ଉଦ୍ଦେଶ୍ୟ।
ନଭେମ୍ବର ୧୫ ତାରିଖ ସକାଳ ୯ଟାରେ ଏକ ଜନଜାଗରଣ ଶୋଭାଯାତ୍ରା ଝିରପାଣିରୁ ବାହାରି ବିର୍ସା ଚୌକ ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ବୀର ବିର୍ସା ମୁଣ୍ଡାଙ୍କ ଜୀବନ, ତ୍ୟାଗ, ସଂଘର୍ଷ ଓ ଅବଦାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବ। ଶୋଭାଯାତ୍ରା ଶେଷ ହେବା ପରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏହି ରକ୍ତଦାନ ଶିବିରରେ ଯୁବକ ଯୁବତୀ ଓ ସମାଜସେବୀମାନଙ୍କୁ ଅଧିକ ସଂଖ୍ୟାରେ ଯୋଗଦେଇ ରକ୍ତଦାନ କରିବାକୁ ଟ୍ରଷ୍ଟ ପକ୍ଷରୁ ଆହ୍ଵାନ ଦିଆଯାଇଛି।
ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଉପରେ ଆଧାରିତ ଏକ କ୍ଷୁଦ୍ର ଓ ପ୍ରଭାବଶାଳୀ ନାଟକ ପରିବେଷଣ କରାଯିବା ସହିତ ଅପରାହ୍ନରେ ଝିରପାଣିର ବିଜୟ କ୍ଲବ ପଡ଼ିଆରେ ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ନାଗପୁରୀ, ଭୋଜପୁରୀ ସମେତ ବିଭିନ୍ନ ଭାଷାର କଳାକାରମାନେ ସଂଗୀତ ପରିବେଷଣ କରିବେ । ଏଥିରେ ମୁଖ୍ୟ ଆକର୍ଷଣ ଭାବେ ଇଣ୍ଡିଆନ୍ ଆଇଡଲ୍ ଗାୟକ ପୱନଦୀପ ରାଜନ ଓ ଚେତନା ଭରଦ୍ବାଜ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି।
ଆଦିବାସୀ ଏକତା ଓ ସଂସ୍କୃତିର ବାର୍ତ୍ତା ବହନ କରି ବୀର ବିର୍ସା ମୁଣ୍ଡା ଆଦିବାସୀ ସମାଜର ସ୍ବାଭିମାନ, ଅଧିକାର ଓ ସଂଘର୍ଷର ଅମର ପ୍ରତୀକ ହୋଇପାରିଛନ୍ତି। ତାଙ୍କ ଆଦର୍ଶ ଓ ତ୍ୟାଗକୁ ନୂତନ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବା ଏବଂ ଆଦିବାସୀ ସଂସ୍କୃତିର ସୁରକ୍ଷା ଏହି ସମାରୋହର ମୂଳ ଲକ୍ଷ୍ୟ।
ରାଉରକେଲା ଓ ଆଖପାଖ ଅଞ୍ଚଳର ଆଦିବାସୀ ସଂଗଠନ, ସାମାଜିକ କର୍ମୀ, ଯୁବକ-ଯୁବତୀ, ବୁଦ୍ଧିଜୀବୀ, କଳାପ୍ରେମୀ ଓ ସାଧାରଣ ଜନତାଙ୍କୁ ଏହି ସମାରୋହରେ ଯୋଗଦେଇ ଏହାକୁ ସଫଳ କରିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆଦିବାସୀ ଟ୍ରାଇବାଲ୍ ଫୋରମ୍ ଟ୍ରଷ୍ଟ ଆୟୋଜକ କମିଟିର ସଭାପତି ଅଶୋକ କାଣ୍ଡୁଲନା, ସାଧାରଣ ସମ୍ପାଦକ ଅମିତ କୁମାର ବାରା, ଝିରପାଣି ସରପଞ୍ଚ ଅଜିତ୍ ତିର୍କୀ, ଇଭେଣ୍ଟ ସଂଯୋଜକ ରାଜେଶ ଟପ୍ପୋ, ଉପଦେଷ୍ଟା ନିର୍ମଳ ଓରାମ, ଉପଦେଷ୍ଟା ବିଶ୍ଵଜିତ ବୋଷ, ଅଜୟ ଖାଲକୋ, ଏଟିଏଏଫ୍ ଉପସଭାପତି ରମେଶ ତିର୍କୀ, ଉପଦେଷ୍ଟା ଅନୀଲ ଏକ୍କା, ଏଟିଏଏଫ୍ ସମ୍ପାଦକ ସମୀର କାଣ୍ଡୁଲନା, ବରିଷ୍ଠ ଉପଦେଷ୍ଟା ସୁଶୀଲ କିଣ୍ଡୋ ପ୍ରମୁଖ ଉପସ୍ଥିତ ଥିଲେ।
ରାଉରକେଲାରୁ ସ୍ୱପ୍ନା ଦାସଙ୍କ ରିପୋର୍ଟ ଓଡିଶା ସିଟି ନିୟୁଜ
Raurkela M, Sundargarh | Oct 23, 2026