#ଦୁବାଇ ନୂଆଁଖାଇ ପରିବାରର ନୂଆଁଖାଇ ଭେଟଘାଟ୍
ଦୁବାଇ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଦୁବାଇ ନୂଆଁଖାଇ ପରିବାର ପକ୍ଷରୁ ନୂଆଁଖାଇ ଭେଟଘାଟ୍ ଉତ୍ସାହ ଓ ଆନନ୍ଦର ସହ ଆୟୋଜିତ ହୋଇଯାଇଛି। ବିଦେଶ ମାଟିରେ ରହି ମଧ୍ୟ ନିଜ ମାଟିର ଭାଷା, ସଂସ୍କୃତି, ପରମ୍ପରା ଓ ଭାଇଚାରାକୁ ଜୀବନ୍ତ ରଖିବା ଉଦ୍ଦେଶ୍ୟରେ ଏହି ଭେଟଘାଟ୍ର ଆୟୋଜନ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନସ ରଞ୍ଜନ ଦାଶ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ସିଦ୍ଧାର୍ଥ ସାହା ଓ ସତ୍ୟବ୍ରତ ପଟ୍ଟନାୟକ ଯୋଗଦେଇଥିଲେ। ବାଙ୍ଗାଲୋର ଜୁହାର ପରିବାରର ସମ୍ପାଦକ ଶୁଭନ ଦାଶ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ବିଦେଶରୁ ମଧ୍ୟ ବହୁ ଅତିଥିଙ୍କ ଯୋଗଦାନ ଦେଖିବାକୁ ମିଳିଥିଲା।
ଏହି ଅବସରରେ ଅତିଥିମାନେ ନୂଆଁଖାଇର ମହତ୍ତ୍ୱ, ସମ୍ବଲପୁରୀ ଭାଷା ଓ ସଂସ୍କୃତିର ସ୍ୱତନ୍ତ୍ର ପରିଚୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ବିଦେଶରେ ବଢ଼ୁଥିବା ନୂଆ ପିଢ଼ିକୁ ନିଜ ମାଟିର ପରମ୍ପରା, ଲୋକକଳା ଓ ସଂସ୍କୃତି ସହ ଯୋଡ଼ି ରଖିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।
ଆରମ୍ଭରେ ଅତିଥିମାନଙ୍କୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରାଯାଇଥିଲା। ପରେ ମା’ ସମଲେଇଙ୍କ ପୂଜାର୍ଚ୍ଚନା ସହ ନୂଆଁଖାଇ ପରମ୍ପରା ଅନୁଯାୟୀ ଭେଟଘାଟ୍ କାର୍ଯ୍ୟକ୍ରମ ଆଗକୁ ବଢ଼ିଥିଲା। ଉପସ୍ଥିତ ପ୍ରବାସୀ ସମ୍ବଲପୁରୀଆମାନେ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇବା ସହ ଶୁଭେଚ୍ଛା ବିନିମୟ କରିଥିଲେ।
ଭେଟଘାଟ୍ ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବେଶ୍ ଆକର୍ଷଣୀୟ ହୋଇଥିଲା। ଗାୟିକା ସ୍ୱାଗତିକା ତ୍ରିପାଠୀ ଓ ପ୍ରଥମ କୁମ୍ଭାର ସମ୍ବଲପୁରୀ ଲୋକଗୀତ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ସେହିପରି ପଦ୍ମପୁର ୧ ଟଙ୍କିଆ ବିଦ୍ୟାଳୟର ପ୍ରତିଷ୍ଠାତା ସୁରେନ୍ଦ୍ର ସାହୁ ଓ ଛାତ୍ରଛାତ୍ରୀମାନେ ‘ନୁନୀ ନୁ ବୁହାସେନ’ ପରିବେଷଣ କରିଥିଲେ। ପାରମ୍ପରିକ କଳା ଓ ସଙ୍ଗୀତ ମାଧ୍ୟମରେ ପଶ୍ଚିମ ଓଡ଼ିଶାର ଲୋକଜୀବନ ଓ ସଂସ୍କୃତିର ଝଲକ ଦୁବାଇ ମାଟିରେ ଦେଖିବାକୁ ମିଳିଥିଲା।
ଏହି ଆୟୋଜନକୁ ସଫଳ କରିବାରେ ଦୁବାଇ ନୂଆଁଖାଇ ପରିବାରର ସମସ୍ତ ସଦସ୍ୟଙ୍କ ସହଯୋଗ ଓ ସକ୍ରିୟ ଭୂମିକା ରହିଥିଲା। ଭାଷା ଓ ସଂସ୍କୃତିର ସୁରକ୍ଷା ସହ ଆଗାମୀ ଦିନରେ ମଧ୍ୟ ଏଭଳି ସାମାଜିକ ଓ ସାଂସ୍କୃତିକ ଆୟୋଜନ ଜାରି ରଖିବାକୁ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।
ଦୁବାଇରେ ରହି ମଧ୍ୟ ନିଜ ମାଟିର ପର୍ବପର୍ବାଣୀ, ଭାଷା ଓ ସଂସ୍କୃତିକୁ ଭୁଲି ନଯାଇ ନୂଆ ପିଢ଼ି ମଧ୍ୟରେ ଏହାକୁ ପହଞ୍ଚାଇବାରେ ଏହି ନୂଆଁଖାଇ ଭେଟଘାଟ୍ ଏକ ସୁନ୍ଦର ପ୍ରୟାସ ହୋଇଥିଲା। ନୂଆଁଖାଇର ଭାଇଚାରା, ଆତ୍ମୀୟତା ଓ ସାଂସ୍କୃତିକ ଚେତନାକୁ ଦୁବାଇ ମାଟିରେ ଜୀବନ୍ତ ରଖିବା ସହ ପ୍ରବାସୀ ସମ୍ବଲପୁରୀଆ ଓ ଓଡ଼ିଆମାନଙ୍କୁ ଏକତ୍ରିତ କରିବାରେ ଏହି ଭେଟଘାଟ୍ ସଫଳ ହୋଇଥିଲା।