ବୁଝାଇଲା ପ୍ରଶାସନ, ବୁଝିଲେନି ଗ୍ରାମବାସୀ
ଭେଜା ରେଳଷ୍ଟେସନ ନିକଟରେ ଡମ୍ପିଙ୍ଗୟାର୍ଡ ପାଇଁ ଜମି ଚିହ୍ନଟକୁ ବିରୋଧ
ନନ୍ଦପୁର, ୨/୭(ନି ପ୍ର): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ଭେଜା ରେଳଷ୍ଟେସନ ନିକଟରେ ପ୍ରସ୍ତାବିତ ରେଳ ଡମ୍ପିଙ୍ଗୟାର୍ଡ ପାଇଁ ଜମି ଚିହ୍ନଟ କରିବାକୁ ଯାଇଥିବା ରାଜସ୍ୱ ଓ ରେଳବାଇ ଅଧିକାରୀଙ୍କୁ ଗୁରୁବାର ସ୍ଥାନୀୟ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ପ୍ରଶାସନ ପକ୍ଷରୁ ପ୍ରାୟ ଚାରି ଘଣ୍ଟା ଧରି ବୁଝାଇବା ସତ୍ତ୍ୱେ ଗ୍ରାମବାସୀ ନିଜ ନିଷ୍ପତ୍ତିରେ ଅଟଳ ରହିଥିବାରୁ ଜମି ଚିହ୍ନଟ ପ୍ରକ୍ରିୟା ସ୍ଥଗିତ ରଖି କର୍ତ୍ତୃପକ୍ଷ ଫେରି ଆସିଥିଲେ। ବାଲଡ଼ା ପାହାଡ଼ରେ ବକ୍ସାଇଟ ଖଣି ଉତ୍ତୋଳନ ପରେ ପରିବହନ ସୁବିଧା ପାଇଁ ଭେଜା ରେଳଷ୍ଟେସନ ନିକଟରେ ଡମ୍ପିଙ୍ଗୟାର୍ଡ ନିର୍ମାଣ ଉଦ୍ଦେଶ୍ୟରେ ଗାୟଲପୁଟ, ତାଇନ୍ତର ଓ କଡ଼ାପୁଟ ମୌଜାର ରେଳବାଇ ଅଧିଗୃହୀତ ଜମି ଚିହ୍ନଟ କରାଯିବାକୁ ଥିଲା। ଏଥିପାଇଁ ତହସିଲ ପକ୍ଷରୁ ପୂର୍ବରୁ ଜମିମାଲିକ ଓ ଉତ୍ତରାଧିକାରୀଙ୍କୁ ନୋଟିସ ଜାରି କରାଯାଇଥିଲା।
ଜମି ଚିହ୍ନଟ ଆରମ୍ଭ ହେବାମାତ୍ରେ ତିନି ମୌଜାର ଜମିମାଲିକ, ସେମାନଙ୍କ ଉତ୍ତରାଧିକାରୀ ଓ ନାଗେଶ୍ୱରୀ ପାହାଡ଼ ସୁରକ୍ଷା ସମିତିର ଶତାଧିକ ମହିଳା ଓ ପୁରୁଷ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ। ସେମାନଙ୍କ ଅଭିଯୋଗ ହେଉଛି, ବାଲଡ଼ା ପାହାଡ଼କୁ ଜୈବିକ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ମିଳିଥିବାବେଳେ ଏଠାରେ ବକ୍ସାଇଟ ଖଣି ଓ ଡମ୍ପିଙ୍ଗୟାର୍ଡ ନିର୍ମାଣକୁ ସେମାନେ ଦୀର୍ଘଦିନ ଧରି ବିରୋଧ କରି ଆସୁଛନ୍ତି। ଏନେଇ ଉଚ୍ଚ ନ୍ୟାୟାଳୟ ଓ ଗ୍ରୀନ୍ ଟ୍ରିବ୍ୟୁନାଲରେ ମାମଲା ମଧ୍ୟ ବିଚାରାଧୀନ ରହିଛି। ଏହାଛଡ଼ା ବର୍ତ୍ତମାନ ଖରିଫ ଚାଷ ଋତୁ ଚାଲିଥିବାରୁ ଜମି ଚିହ୍ନଟ ପ୍ରକ୍ରିୟାରେ ଚାଷଜମି କ୍ଷତିଗ୍ରସ୍ତ ହେବ ବୋଲି ମଧ୍ୟ ସେମାନେ ଦାବି କରିଥିଲେ। ଘଟଣାସ୍ଥଳରେ ନନ୍ଦପୁର ତହସିଲଦାର ଦେବବ୍ରତ ମହାରଣା, ରେଳବାଇ ଏଡିଇଏନ୍ ରାଜେନ୍ଦ୍ର ପ୍ରସାଦ ପ୍ରଦାନ, ନନ୍ଦପୁର ଏସଡିପିଓ ଦେବେନ୍ଦ୍ର ମଲ୍ଲିକ, ରେଳବାଇ ଡିଏସପି ପି. କେ. ତ୍ରିପାଠୀ, ତହସିଲ ଓ ପୋଲିସ ଅଧିକାରୀଙ୍କ ସହ ଜିଆରପି ଦଳ ଉପସ୍ଥିତ ଥିଲେ। ତେବେ ଦୀର୍ଘ ସମୟ ଆଲୋଚନା ପରେ ମଧ୍ୟ ସମାଧାନ ବାହାରି ନଥିବାରୁ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା। ଗ୍ରାମବାସୀଙ୍କ ସହ ପୁଣି ଆଲୋଚନା କରି ପରବର୍ତ୍ତୀ ତାରିଖରେ ରେଳବାଇ ଅଧିକୃତ ଜମି ଚିହ୍ନଟ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।