ଶ୍ରୀପଞ୍ଚମୀରେ ସ୍ପନ୍ଦନର ନୂଆଖାଇ ଭେଟଘାଟ
ତିନିଦିନିଆ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି
ଅତାବିରା, ତା.୨।୧୦: (ଇମିସ) ଅତାବିରା ବ୍ଲକ ଗୋଡ଼ଭଗା କ୍ୟାମ୍ପ ଅଞ୍ଚଳର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ସ୍ପନ୍ଦନ’ ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଚଳିତ ବର୍ଷ ମହାଳୟା ତିଥି ପରିବର୍ତ୍ତେ ଆସନ୍ତା ଶ୍ରୀପଞ୍ଚମୀ ତଥା ସରସ୍ୱତୀ ପୂଜା ଅବସରରେ ଅନୁଷ୍ଠିତ ହେବ। ଏନେଇ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।ପୂର୍ବରୁ ସ୍ପନ୍ଦନର ନୂଆଖାଇ ଭେଟଘାଟ ମହାଳୟା ତିଥିରେ ଆୟୋଜିତ ହୋଇଆସୁଥିଲା। ଏହି ଅବସରରେ ଅଞ୍ଚଳର ବୟୋଜ୍ୟେଷ୍ଠ ବ୍ୟକ୍ତି, କୃତୀ ଛାତ୍ରଛାତ୍ରୀ, ସମାଜସେବୀ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ପ୍ରତିଭାଙ୍କୁ ସମ୍ମାନିତ କରାଯାଉଥିଲା। ଚଳିତ ବର୍ଷ ମଧ୍ୟ ଏହି ପରମ୍ପରାକୁ ବଜାୟ ରଖି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ ଆକର୍ଷଣୀୟ କରିବାକୁ ଅନୁଷ୍ଠାନ ପକ୍ଷରୁ ଯୋଜନା କରାଯାଇଛି। ଚଳିତ ବର୍ଷ ନୂଆଖାଇ ଭେଟଘାଟକୁ ତିନିଦିନିଆ କାର୍ଯ୍ୟକ୍ରମ ଭାବେ ଆୟୋଜନ କରାଯିବ। ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସହ ସମସ୍ତ ପ୍ରକାର ପ୍ରସ୍ତୁତି ଏବେଠାରୁ ଆରମ୍ଭ କରାଯିବ ବୋଲି ସ୍ପନ୍ଦନ ପକ୍ଷରୁ କୁହାଯାଇଛି। ଅଞ୍ଚଳବାସୀଙ୍କ ସହଯୋଗରେ ଭେଟଘାଟକୁ ସଫଳ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଆହ୍ୱାନ ଦିଆଯାଇଛି।