#ନ୍ୟାୟ_ପାଇଁ_ରାସ୍ତାକୁ_ଓହ୍ଲାଇଲେ_ବୋହୂ
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଯାଜପୁରରେ ଅଭାବନୀୟ ଘଟଣା। ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଲେ ବୋହୂ। ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଲେ ମହିଳା। ଯାଜପୁର ଟାଉନ ଥାନା ଅନ୍ତର୍ଗତ ଲଳିତେଶ୍ୱର ରାସ୍ତାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସ୍ୱାମୀଙ୍କ ସହ ଛାଡ଼ପତ୍ର ମାମଲା ଦୀର୍ଘ ୪ ବର୍ଷ ଧରି ଅଦାଲତରେ ବିଚାରାଧୀନ ଥିବା ବେଳେ ଶ୍ୱଶୁରଙ୍କ ଶୁଦ୍ଧିକ୍ରିୟାକୁ ଆସି ଘରେ ପ୍ରବେଶ କରିବାକୁ ନପାଇ ଧାରଣାରେ ବସିଛନ୍ତି ବୋହୂ। ଯାଆ ଓ ଦେଢ଼ଶୁର ତାଙ୍କୁ ଘରେ ପୂରାଇ ଦେଉନଥିବା ଅଭିଯୋଗ ଆଣିଛନ୍ତି ମହିଳା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ। ଧାରଣାରେ ବସିଥିବା ମହିଳା ହେଉଛନ୍ତି ଦଶରଥପୁର ବ୍ଲକ କଟିକଟା ଅଞ୍ଚଳର ସରିତା ବେହେରା। ଯାଜପୁର ଟାଉନ ଥାନା ଅନ୍ତର୍ଗତ ଲଳିତେଶ୍ୱର ରାସ୍ତାରେ ଏହି ଘଟଣାକୁ ନେଇ ସୃଷ୍ଟି ହୋଇଛି ଚର୍ଚ୍ଚା। ସୂଚନା ଅନୁଯାୟୀ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ଗତ ୪ ବର୍ଷ ଧରି ଅଦାଲତରେ ମାମଲା ଚାଲିଛି। ଏହି ସମୟରେ ଶ୍ୱଶୁରଙ୍କ ଦେହାନ୍ତ ପରେ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଶ୍ୱଶୁର ଘରକୁ ଆସିଥିଲେ ସରିତା। ହେଲେ ଘରେ ପ୍ରବେଶ କରିବାକୁ ତାଙ୍କୁ ଅନୁମତି ମିଳିନଥିବା ସେ ଅଭିଯୋଗ କରିଛନ୍ତି। ଯାଆ ଓ ଦେଢ଼ଶୁର ତାଙ୍କୁ ମାଡ଼ ମାରିବା ସହ ଘରେ ପୂରାଇ ଦେଇନଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି। ଫଳରେ ନ୍ୟାୟ ଦାବିରେ ଘର ସମ୍ମୁଖ ରାସ୍ତାରେ ଧାରଣାରେ ବସିଛନ୍ତି ସରିତା। ଅନ୍ୟପଟେ ଏହି ଘଟଣା ସମ୍ପର୍କରେ ଖବର ପାଇ ଯାଜପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମହିଳାଙ୍କ ଅଭିଯୋଗ ଓ ପାରିବାରିକ ବିବାଦକୁ ନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି। ସେପଟେ ଶାଶୁଘର ଲୋକଙ୍କ କହିବା କଥା ହେଲା ମାମଲା ବିଚାରାଧୀନ ଥିବାବେଳେ ଅଧିକ ଟଙ୍କା ଦାବି କରି ମହିଳା ଏଭଳି ପ୍ରହସନ କରୁଛନ୍ତି। ଗତକାଲି ଶ୍ୱଶୁରଙ୍କ ଦେହାନ୍ତ ହୋଇଛି, ଆଜି କସା ଖିଆ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ସେ ଜାଣିଶୁଣି ସମସ୍ୟା ସୃଷ୍ଟି କରିବା ପାଇଁ ଏଭଳି କରୁଥିବା ପାଲଟା ଅଭିଯୋଗ କରୁଛନ୍ତି ଶ୍ୱଶୁର ଘର ପରିବାର। ତେବେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଯେଉଁଠି ଚାରିଆଡ଼େ ଭକ୍ତି ଓ ଆନନ୍ଦର ପରିବେଶ, ସେଠି ପାରିବାରିକ ବିବାଦକୁ ନେଇ ରାସ୍ତାରେ ବୋହୂଙ୍କ ଧାରଣା ଏବେ ସୃଷ୍ଟି କରିଛି ଚର୍ଚ୍ଚା
#lntvnetwork #JajpurNews #jajpurkhabar #Aeiodisha