ଶିକ୍ଷକ ବଦଳିକୁ ବିରୋଧ,ଷଢଙ୍ଗୀ ହାଇସ୍କୁଲ ଫାଟକରେ ତାଲା
ଢ଼େଙ୍କାନାଳ ଗଁଦିଆ : ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଢେଙ୍କାନାଳ ଜିଲ୍ଲା ଗଁଦିଆ ଷଢଙ୍ଗୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଛାତ୍ରଛାତ୍ରୀମାନେ ସ୍କୁଲର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିବାବେଳେ ଘଟଣାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟାଳୟର ଗଣିତ ଶିକ୍ଷକ ଶ୍ରୀନିବାସ ସାହୁ ଓ ଖେଳ ଶିକ୍ଷକ ମାନସ କୁମାର ସ୍ୱାଇଁଙ୍କୁ ବ୍ଲକ ବାହାରକୁ ଡେପୁଟେସନରେ ପଠାଇବା ପାଇଁ ପ୍ରାୟ ସାତ ଦିନ ପୂର୍ବରୁ ନିର୍ଦ୍ଦେଶ ଆସିଥିଲା। ତେବେ ଏହି ଦୁଇ ଶିକ୍ଷକ ରିଲିଭ ହୋଇନଥିଲେ। ଆଜି ଉଭୟଙ୍କୁ ରିଲିଭ କରାଯିବା ପରେ ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦ କରି ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଇଥିବା ଜଣାପଡିଛି। ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ଉଭୟ ଶିକ୍ଷକ ଦୀର୍ଘଦିନ ଧରି ବିଦ୍ୟାଳୟରେ ନିଷ୍ଠାର ସହ ପାଠପଢାଇ ଆସୁଥିଲେ। ବିଶେଷକରି ଗଣିତ ଶିକ୍ଷକଙ୍କ ବଦଳି ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହେବ ବୋଲି ସେମାନେ କହିଛନ୍ତି। ଦୁଇ ଶିକ୍ଷକଙ୍କ ବଦଳି ବାତିଲ ନହେବା ପର୍ଯ୍ୟନ୍ତ ପାଠପଢା ବନ୍ଦ ରହିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଥିବା ଜଣାପଡିଛି। ଅନ୍ୟପକ୍ଷରେ, ଧାରଣା ସମୟରେ ଦୀର୍ଘ ସମୟ ଧରି ପ୍ରବଳ ଖରାରେ ଛାତ୍ରଛାତ୍ରୀମାନେ ବସି ରହିଥିଲେ। ଏହି ସମୟରେ ଦୁଇଜଣ ଛାତ୍ରୀ ଅସୁସ୍ଥ ହୋଇ ଅଚେତ ହୋଇପଡିଥିବା ଜଣାପଡିଛି। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମେଡିକାଲକୁ ପଠାଯାଇଥିଲା। ଘଟଣାସ୍ଥଳରେ ଦୀର୍ଘ ସମୟ ଧରି ଶିକ୍ଷା ବିଭାଗର କୌଣସି ଉଚ୍ଚପଦସ୍ଥ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ପହଞ୍ଚିନଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା। ସୂଚନାଯୋଗ୍ୟ,୧୯୬୪ ମସିହାରେ ପ୍ରତିଷ୍ଠିତ ଏହି ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀରେ ମୋଟ ୨୦୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ମୋଟ ୯ ଜଣ ଶିକ୍ଷକ ରହିଛନ୍ତି। ସେଥିମଧ୍ୟରୁ ଦୁଇଜଣ ଶିକ୍ଷକଙ୍କୁ ବଦଳି କରାଯିବାକୁ ନେଇ ଛାତ୍ରଛାତ୍ରୀଙ୍କ ଏହି ପ୍ରତିବାଦ ଚର୍ଚ୍ଚାର ବିଷୟ ହୋଇଛି। ଧାରଣା ଅନିର୍ଦ୍ଦିଷ୍ଟ କାଳ ପାଇଁ ଜାରି ରହିବ ଏବଂ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ ତୀବ୍ର ହୋଇପାରେ ବୋଲି କିଛି ଅଭିଭାବକ କହିଛନ୍ତି।