ବୌଦ୍ଧ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ: ସକାଳୁଆ ସ୍କୁଲ ସମୟ ବଦଳାଇବାକୁ ଜିଲ୍ଲାପାଳଙ୍କୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର
ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗରମ ଗୁଳୁଗୁଳି ଜାରି ରହିଛି। ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଥିବାରୁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି 'ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ବୌଦ୍ଧ (ନୂତନ ପେନସନ ଯୋଜନାଭୁକ୍ତ)' ପକ୍ଷରୁ ମାନ୍ୟବର ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଶିକ୍ଷକ ସଂଘର କହିବା ଅନୁଯାୟୀ, ବର୍ତ୍ତମାନ ପୂର୍ବାହ୍ନ ୧୦ଟା ପୂର୍ବରୁ ସ୍କୁଲ ଆସି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଶିକ୍ଷାଦାନ କାର୍ଯ୍ୟ ଚାଲୁ ରହିବା ଦ୍ୱାରା ପ୍ରବଳ ଗରମ ଓ ଗ୍ରୀଷ୍ମ ପ୍ରବାହ ଯୋଗୁଁ କୋମଳମତି ଶିଶୁମାନେ ଅସୁସ୍ଥ ହେବାର ସମ୍ଭାବନା ରହିଛି।
ଏଣୁ ଛାତ୍ରଛାତ୍ରୀମାନଙ୍କ ହିତ ଏବଂ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ ବିଦ୍ୟାଳୟର ସମସ୍ତ ଅବଧିକୁ ସକାଳ ଘ. ୬.୩୦ ମି. ରୁ ପୂର୍ବାହ୍ନ ଘ. ୧୦.୦୦ ମି. ପର୍ଯ୍ୟନ୍ତ ପରିବର୍ତ୍ତନ କରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ଏହାଦ୍ୱାରା ଶିକ୍ଷାଦାନ କାର୍ଯ୍ୟ ସୁଚାରୁରୂପେ ସମ୍ପୂର୍ଣ୍ଣ ହୋଇପାରିବ ବୋଲି ସଂଘ ଆଶା ପ୍ରକଟ କରିଛି।
ଏହି ପତ୍ରରେ ସଂଘର କାର୍ଯ୍ୟକାରୀ ସଭାପତି ଶମ୍ଭୁ ଗିରି ଏବଂ ସଭାପତି ଶିଶିର ଖଟୁଆଙ୍କ ସମେତ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କ ସ୍ୱାକ୍ଷର ରହିଛି।
#BoudhNews #SchoolTiming #OdishaWeather #TeachersAssociation #DistrictMagistrate #PrimaryEducation #Odisha #HeatwaveAlert