👉 ଆଦର୍ଶ ଥାନା ପରିଦର୍ଶନ କଲେ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ
ମହିଳା ସୁରକ୍ଷା, ସାଇବର ଅପରାଧ ଓ ଆଇନଗତ ଅଧିକାର ସମ୍ପର୍କରେ ହେଲେ ସଚେତନ
ପଦ୍ମପୁର: ଅଞ୍ଚଳ ମହାବିଦ୍ୟାଳୟ, ପଦ୍ମପୁରର ଶକ୍ତିଶ୍ରୀ ସଶକ୍ତୀକରଣ ପ୍ରକୋଷ୍ଠ ପକ୍ଷରୁ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ପଦ୍ମପୁର ଆଦର୍ଶ ଥାନା ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରୀମାନଙ୍କୁ ପୋଲିସ ପ୍ରଶାସନର କାର୍ଯ୍ୟପ୍ରଣାଳୀ, ଆଇନଶୃଙ୍ଖଳା ବ୍ୟବସ୍ଥା, ମହିଳା ସୁରକ୍ଷା, ସାଇବର ଅପରାଧ ଏବଂ ନିଜର ଆଇନଗତ ଅଧିକାର ସମ୍ପର୍କରେ ଅବଗତ କରାଇବା।
ଏହି ଅବସରରେ ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ସବର, ଥାନା ଭାରପ୍ରାପ୍ତ ଅଧିକାରିଣୀ କ୍ରେସେନ୍ସିଆ ସାମରିଆ ଏବଂ ଉପନିରୀକ୍ଷକ ପ୍ରମିଳା ମାରେଇ ଛାତ୍ରୀମାନଙ୍କୁ ବିଭିନ୍ନ ଆଇନଗତ ବିଷୟ ଓ ପୋଲିସ ବିଭାଗର କାର୍ଯ୍ୟଧାରା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଏଥିସହ ମହିଳାଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନଗତ ବ୍ୟବସ୍ଥା ଏବଂ ସାଇବର ଅପରାଧରୁ ନିଜକୁ ସୁରକ୍ଷିତ ରଖିବାର ଉପାୟ ସମ୍ପର୍କରେ ମଧ୍ୟ ପରାମର୍ଶ ଦେଇଥିଲେ। ଏଥିରେ ଥାନାର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମରେ ଶକ୍ତିଶ୍ରୀ ସଶକ୍ତୀକରଣ ପ୍ରକୋଷ୍ଠର ସଂଯୋଜିକା ଶର୍ମିଳା ପଣ୍ଡା, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ମୁଖ୍ୟ ଝୁନୁ ପରିଡ଼ା ଏବଂ ଆଇସିସି କମିଟିର ସଦସ୍ୟା ରୀନା ଧର୍ମବିନାୟକ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉଚିତ ମାର୍ଗଦର୍ଶନ କରିଥିଲେ।
ଏହି ପରିଦର୍ଶନ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ମଧ୍ୟରେ ଆଇନ ସମ୍ପର୍କିତ ଜ୍ଞାନ, ଆତ୍ମବିଶ୍ୱାସ ଓ ସୁରକ୍ଷା ସଚେତନତା ବୃଦ୍ଧି କରିବାରେ ସହାୟକ ହୋଇଥିଲା। ଏଭଳି ଜନସଚେତନତାମୂଳକ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କୁ ସଚେତନ, ସାହସୀ ଓ ଆତ୍ମନିର୍ଭରଶୀଳ ନାଗରିକ ଭାବେ ଗଢ଼ିତୋଳିବାରେ ନିଶ୍ଚିତ ଭାବେ ସହାୟକ ହେବ।
Bargarh, Bargarh (Baragarh) | Nov 8, 2026