ହାତୀ ଉପଦ୍ରବରେ ଅତିଷ୍ଠ ଗ୍ରାମବାସୀ, ସାତମାଇଲି ଛକରେ ରାସ୍ତାରୋକ
#newsodiaodisha#public
ଢେଙ୍କାନାଳ, ହିନ୍ଦୋଳ: ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଶେଷରେ ରାଜରାସ୍ତାକୁ ଓହ୍ଲାଇଲେ ହିନ୍ଦୋଳ ଅଞ୍ଚଳର ଶତାଧିକ ଗ୍ରାମବାସୀ। ପୁରୁଣା କଟକ-ସମ୍ବଲପୁର ରାସ୍ତାର ସାତମାଇଲି ଛକଠାରେ ବିଭିନ୍ନ ଗ୍ରାମର ଲୋକେ ଏକତ୍ରିତ ହୋଇ ରାସ୍ତାରୋକ କରିଥିଲେ।
ହିନ୍ଦୋଳ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ହାତୀପଲ ଗାଁ ଭିତରକୁ ପଶି ଚାଷଜମିର ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଏପରିକି ଧନଜୀବନ ପ୍ରତି ବିପଦ ସୃଷ୍ଟି ହେଉଥିବାରୁ ଅଞ୍ଚଳବାସୀ ଭୟ ଓ ଆତଙ୍କ ମଧ୍ୟରେ ରାତି କାଟୁଛନ୍ତି।
ଏହି ସମସ୍ୟାର ସ୍ଥାୟୀ ସମାଧାନ ସହ ହାତୀପଲଙ୍କୁ ଜନବସତି ଅଞ୍ଚଳରୁ ତୁରନ୍ତ ଘଉଡ଼ାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। ବନ ବିଭାଗ ଏହି ଗୁରୁତର ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।